କଳାହାଣ୍ଡି ,(ଖବର ଆମର)(ଦୁଷ୍ମନ୍ତ କୁମାର ଗହିର)କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ଟାଉନ ହଲଠାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ହୋଇଯାଇଛି। ସମବାୟ ସଂସ୍ଥାଗୁଡ଼ିକୁ ଅଧିକ ସୁଦୃଢ଼ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ରହିଛି।ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଅନୁଷ୍ଠିତ ‘ସମ୍ବନ୍ଧ’ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ନିର୍ମିତ ଧାନମଣ୍ଡି ଓ ଅନ୍ୟାନ୍ୟ ସମବାୟ ଭିତ୍ତିଭୂମିର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କାର୍ଯ୍ୟକ୍ରମକୁ ଭବାନୀପାଟଣା ଟାଉନ ହଲରେ ଉପସ୍ଥିତ ଅତିଥି, ସମବାୟ ସମିତିର ସଭାପତି, ପରିଚାଳନା ପରିଷଦ ସଦସ୍ୟ, ସମ୍ପାଦକ ଓ ଅଗ୍ରଣୀ କୃଷକମାନେ ଆଭାସୀ ମାଧ୍ୟମରେ ଦେଖିଥିଲେ।ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ମଞ୍ଚାସୀନ ଅତିଥିଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ଶକ୍ତି ରଞ୍ଜନ ଶତପଥୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କଳାହାଣ୍ଡି ସହକାରୀ ନିବନ୍ଧକ ଅଜିତ କୁମାର ବଗର୍ତ୍ତୀ, ସହକାରୀ ମହାସମୀକ୍ଷକ, କଳାହାଣ୍ଡି ମଣ୍ଡଳ ଏବଂ ସମବାୟ ବିଭାଗର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। ଉପ ନିବନ୍ଧକ, ସମବାୟ ସମିତି ସ୍ୱରୂପ କୁମାର କର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।‘ସମ୍ବନ୍ଧ’ ଅଭିଯାନ ମାଧ୍ୟମରେ ରାଜ୍ୟର ସମବାୟ ସଂସ୍ଥାଗୁଡ଼ିକରେ ସଦସ୍ୟତା ବୃଦ୍ଧି କରିବା ସହ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ଲ୍ୟାମ୍ପସ୍ଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟ ରହିଛି। ଏହା ସହିତ ସମବାୟ ଆନ୍ଦୋଳନରେ ମହିଳା ଓ ଗ୍ରାମୀଣ ଯୁବବର୍ଗଙ୍କ ସହଭାଗିତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।ଅଭିଯାନରେ ସମବାୟ ସଦସ୍ୟତାରୁ ବଞ୍ଚିତ ପରିବାରଗୁଡ଼ିକୁ ଚିହ୍ନଟ କରି ସଦସ୍ୟତା ପ୍ରଦାନ, ସ୍ୱେଚ୍ଛାସେବୀ ଭିତ୍ତିକ ପ୍ରସାର କାର୍ଯ୍ୟକ୍ରମ ଏବଂ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ନାମଲେଖା ଭଳି ପଦକ୍ଷେପ ନିଆଯିବ। ଏହା ଦ୍ୱାରା ପ୍ୟାକ୍ସ ଓ ଲ୍ୟାମ୍ପସ୍ରେ ବ୍ୟାପକ ସଦସ୍ୟତା ଅଭିଯାନକୁ ଆହୁରି ସୁଦୃଢ଼ କରାଯିବ।ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ୧୬୩ଟି ପ୍ୟାକ୍ସ ଓ ଲ୍ୟାମ୍ପସ୍ କାର୍ଯ୍ୟରତ ରହିଛି। ଏହି ମହାଅଭିଯାନ ମାଧ୍ୟମରେ ଜିଲ୍ଲାରେ ସମବାୟ ସଦସ୍ୟତା ବୃଦ୍ଧି ସହ ଗ୍ରାମୀଣ ଅର୍ଥନୀତିକୁ ସମବାୟ ମାଧ୍ୟମରେ ଆହୁରି ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନିଆଯିବ।
କଳାହାଣ୍ଡିରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"
Tags
Latest



