କଳାହାଣ୍ଡି, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ଅବସରରେ କଳାହାଣ୍ଡି ଜିଲ୍ଲାର ତୁର୍କା ଗାଁ ସମେତ ସାତଶହ ଡଙ୍ଗର ଓ ନଅଶହ ଯଲା ଅଞ୍ଚଳରେ ପାରମ୍ପରିକ ରୀତିନୀତି ଓ ଶ୍ରଦ୍ଧାର ସହିତ ନୂଆଖାଇ ପର୍ବ ପାଳିତ ହୋଇଯାଇଛି। କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ଭାଦ୍ରବ ମାସ ଦଶମୀ ତିଥିରେ ନୂଆଖାଇ ପାଳନର ପରମ୍ପରା ରହିଛି।ନୂଆଖାଇ ଅବସରରେ ପ୍ରଥମେ ଆରାଧ୍ୟ ଦେବୀ ମା’ ମାଣିକେଶ୍ୱରୀଙ୍କ ନିକଟରେ ନୂଆ ଅନ୍ନ ଭୋଗ ଲାଗି କରାଯାଇଥିଲା। ପରେ ଧରଣୀ ଦେବୀଙ୍କୁ ନୂଆ ଅନ୍ନ ସମର୍ପଣ କରାଯାଇଥିଲା। ଏହାପରେ ଗ୍ରାମବାସୀମାନେ ପରିବାର ସହ ନୂଆ ଅନ୍ନ ଭକ୍ଷଣ କରି ନୂଆଖାଇର ଆନନ୍ଦ ଉତ୍ସାହରେ ସାମିଲ ହୋଇଥିଲେ।ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ମାଟି, ଚାଷ, ପ୍ରକୃତି, ସଂସ୍କୃତି ଓ ଭାଇଚାରାର ପ୍ରତୀକ। ନୂଆ ଧାନରୁ ପ୍ରସ୍ତୁତ ଅନ୍ନକୁ ପ୍ରଥମେ ଦେବଦେବୀଙ୍କୁ ଅର୍ପଣ କରିବାର ଏହି ପରମ୍ପରା ପିଢ଼ି ପରେ ପିଢ଼ି ଚାଲିଆସୁଛି।ଏହି ଅବସରରେ ତୁର୍କା ଗାଁ ସମେତ ସାତଶହ ଡଙ୍ଗର ଓ ନଅଶହ ଯଲା ଅଞ୍ଚଳବାସୀ ପରସ୍ପରକୁ ନୂଆଖାଇ ଜୁହାର ଓ ଶୁଭେଚ୍ଛା ଜଣାଇଥିଲେ। ମା’ ମାଣିକେଶ୍ୱରୀ ଓ ଧରଣୀ ଦେବୀଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରାଯାଇଛି।
କଳାହାଣ୍ଡିରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"
Tags
Latest



