🟢 ବ୍ରେକିଂ ନ୍ୟୁଜ

ଗଣେଶ ପୂଜା ପାଖେଇ ଆସୁଛି, ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ କାରିଗର


ଧର୍ମଗଡ଼ , (ଖବର ଆମର): (ହୁକିମ ବିଶି )ଆଉ କିଛିଦିନ ପରେ ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା। ଗଣେଶ ପୂଜାକୁ ନେଇ ଧର୍ମଗଡ଼ ସହର ସମେତ ଦଣ୍ଡପାଟ ଅଞ୍ଚଳର ବିଭିନ୍ନ ଗାଁ ଓ ସହରାଞ୍ଚଳରେ ପ୍ରସ୍ତୁତି ଜୋରଦାର ହୋଇଛି। ପୂଜା ମଣ୍ଡପ, ସାଜସଜ୍ଜା ଓ ଅନ୍ୟାନ୍ୟ ପ୍ରସ୍ତୁତି ସାଙ୍ଗକୁ ମୂର୍ତ୍ତି ନିର୍ମାଣରେ କାରିଗରମାନେ ଦିନରାତି ଏକ କରିଦେଇଛନ୍ତି।ମୂର୍ତ୍ତି କାରିଗରଙ୍କ ହାତର ସ୍ପର୍ଶରେ ମାଟି ଧୀରେଧୀରେ ଗଣେଶଙ୍କ ଆକର୍ଷଣୀୟ ରୂପ ନେଉଛି। କେହି ମାଟିରେ ମୂର୍ତ୍ତିକୁ ଆକାର ଦେଉଥିବାବେଳେ ଆଉ କେହି ରଙ୍ଗ, ଅଳଙ୍କାର ଓ ସୂକ୍ଷ୍ମ କାରୁକାର୍ଯ୍ୟ ମାଧ୍ୟମରେ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ଅଛନ୍ତି। ଛୋଟ ମୂର୍ତ୍ତିଠାରୁ ଆରମ୍ଭ କରି ବଡ଼ ଓ ଆକର୍ଷଣୀୟ ଗଣେଶ ମୂର୍ତ୍ତି ପର୍ଯ୍ୟନ୍ତ ନିର୍ମାଣ କରାଯାଉଛି।ବିଭିନ୍ନ ପୂଜା କମିଟି, ଶିକ୍ଷାନୁଷ୍ଠାନ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ମୂର୍ତ୍ତି ପାଇଁ ଆଗୁଆ ବରାଦ ଦିଆଯାଉଥିବାରୁ କାରିଗରମାନଙ୍କ ବ୍ୟସ୍ତତା ଆହୁରି ବଢ଼ିଛି। ସମୟ ମଧ୍ୟରେ ଅର୍ଡର ଅନୁଯାୟୀ ମୂର୍ତ୍ତି ପ୍ରସ୍ତୁତ କରି ଯୋଗାଇବା ପାଇଁ ସେମାନେ ଦିନରାତି ପରିଶ୍ରମ କରୁଛନ୍ତି।ଦଣ୍ଡପାଟ ଅଞ୍ଚଳର ବେହେରା ଗାଁର କାରିଗର ଲଳିତ ବାଣୁଆ ଓ ଦୀନବନ୍ଧୁ ବାଗ ବିଭିନ୍ନ ଆକାରର ଗଣେଶ ମୂର୍ତ୍ତି ନିର୍ମାଣ କରି ଅଞ୍ଚଳରେ ଚର୍ଚ୍ଚାରେ ରହିଛନ୍ତି। ସେମାନଙ୍କ ହାତଗଢ଼ା ମୂର୍ତ୍ତି ପ୍ରତି ଆଖପାଖ ଅଞ୍ଚଳରେ ଭକ୍ତ ଓ ପୂଜା କମିଟିମାନଙ୍କ ମଧ୍ୟରେ ବେଶ ଚାହିଦା ରହିଛି। ଚଳିତ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରୁ ମୂର୍ତ୍ତି ପାଇଁ ଅର୍ଡର ଆସିଥିବା ଜଣାପଡ଼ିଛି।ଅନ୍ୟପଟେ, ଗଣେଶ ପୂଜାକୁ ଦୃଷ୍ଟିରେ ରଖି ପୂଜା ସାମଗ୍ରୀ, ଫୁଲ, ଆଲୋକସଜ୍ଜା ଓ ବିଭିନ୍ନ ସାଜସଜ୍ଜା ସାମଗ୍ରୀ ବ୍ୟବସାୟୀମାନେ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି। ପୂଜା ଦିନ ଯେତେ ପାଖେଇ ଆସୁଛି, ବଜାରରେ ଗ୍ରାହକଙ୍କ ଭିଡ଼ ସେତେ ବଢ଼ିବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି।ସମଗ୍ର ଅଞ୍ଚଳରେ ଗଣେଶ ପୂଜାକୁ ନେଇ ଉତ୍ସାହ ଓ ଉଦ୍ଦୀପନା ବଢ଼ିଥିବାବେଳେ, ଚଳିତ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରେ ଧୂମଧାମରେ ପ୍ରଭୁ ଗଣେଶଙ୍କ ପୂଜା ପାଳନ ହେବ ବୋଲି ଆଶା କରାଯାଉଛି।

Previous Post Next Post
Magspot Blogger Template

نموذج الاتصال