ଧର୍ମଗଡ଼, (ଖବର ଆମର) (ହୁକିମ ବିଶି): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇକୁ ନେଇ ପୁରପଲ୍ଲୀରେ ଏବେ ଉତ୍ସବମୁଖର ପରିବେଶ। ପର୍ବ ପାଇଁ ଆଉ ମାତ୍ର କେତେକ ଦିନ ବାକି ଥିବାବେଳେ ଗାଁଠୁ ସହର ପର୍ଯ୍ୟନ୍ତ ପ୍ରସ୍ତୁତି ଜୋରଦାର ହୋଇଛି। ବିଶେଷକରି ହାଟବଜାରରେ କିଣାକିଣି ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି।କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଞ୍ଚଳର ବେହେରା ବଡ଼ବଜାର ଭାବେ ପରିଚିତ ରବିବାର ହାଟରେ ନୂଆଖାଇ ପାଇଁ ସ୍ୱତନ୍ତ୍ର ତିହାରୀ ହାଟ ବସିଥିବାବେଳେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ଲୋକେ ବଜାରକୁ ଆସି ପର୍ବ ପାଇଁ ଆବଶ୍ୟକ ସାମଗ୍ରୀ କିଣୁଛନ୍ତି।ତିହାରୀ ହାଟରେ ପନିପରିବାଠାରୁ ଆରମ୍ଭ କରି ନୂଆଲୁଗା, ନୂଆଧାନ, ହାଣ୍ଡି, ମାଠିଆ, କୁରେପତ୍ର ଓ ବିଭିନ୍ନ ସଜବାଜ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ଼ ଲାଗିରହିଛି। ପାରମ୍ପରିକ ଭୋଜିଭାତ ପାଇଁ ମଧ୍ୟ ବିଭିନ୍ନ ଖାଦ୍ୟ ସାମଗ୍ରୀର କିଣାକିଣି ଜୋରଦାର ହୋଇଛି। ପନିପରିବା ସମେତ କେତେକ ସାମଗ୍ରୀର ଦର ଅଧିକ ରହିଥିଲେ ମଧ୍ୟ ପର୍ବର ଉତ୍ସାହରେ ଲୋକେ କିଣାକିଣି କରୁଥିବା ଦେଖାଯାଇଛି।ଏପଟେ ନୂଆଖାଇ ପାଇଁ ମହିଳାମାନେ ଘରଦ୍ୱାର ସଫାସୁତୁରା କରିବା ସହ ଲିପାପୋଛା ଓ ସଜାସଜ୍ଜାରେ ବ୍ୟସ୍ତ ରହିଛନ୍ତି। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରିବା ସହ ପରିବାରବର୍ଗ ଏକାଠି ହୋଇ ପର୍ବ ପାଳନ କରିବାକୁ ପ୍ରସ୍ତୁତି ଚାଲିଛି।ନୂଆଖାଇରେ ସାମିଲ ହେବା ପାଇଁ ବାହାର ରାଜ୍ୟ ତଥା ଦେଶବିଦେଶରେ ରହୁଥିବା ଅନେକ ଲୋକ ମଧ୍ୟ ଘରମୁହାଁ ହୋଇଛନ୍ତି। ଫଳରେ ଏଥର ନୂଆଖାଇ ବାସି ତିହାର ଅଧିକ ଜମିବା ସହ ଭାଇଚାରା, ସ୍ନେହ ଓ ସମ୍ପର୍କର ନିଆରା ବାର୍ତ୍ତା ବହନ କରିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।
Tags
Latest



