କୋକସରା: କୋକସରା ବ୍ଲକ କାଉଡୋଳାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଭକ୍ତି ଓ ଉତ୍ସାହର ସହ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ନେଇ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଧା ଓ କୃଷ୍ଣଙ୍କ ବେଶରେ ସୁସଜ୍ଜିତ ହୋଇ ଉତ୍ସବରେ ସାମିଲ ହୋଇଥିଲେ। ରଙ୍ଗବେରଙ୍ଗ ପୋଷାକରେ ସଜ୍ଜିତ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା। ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରାଧାକୃଷ୍ଣ ବେଶରେ ଗାଁ ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରା ସମୟରେ ଗାଁରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ଉତ୍ସବ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରାଧାକୃଷ୍ଣ ବେଶ ପ୍ରତିଯୋଗିତା ସମେତ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଚେୟାରମ୍ୟାନ କପୁରଚନ ରାଉତ, ସଭାପତି ବୁଟୁନାଥ ସରାବୁଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରଞ୍ଜିତ ବାଗଙ୍କ ସହ ଲକ୍ଷ୍ମଣ ଅଧିକାରୀ, ରୁପ୍ସା ଭାଟି, ସ୍ମୃତିରେଖା ଠାକୁର, ତୃପ୍ତିଶିଖା ଠାକୁର ଓ ହିମାଞ୍ଜଳି ଗୋପାଳଙ୍କ ସମେତ ଅନ୍ୟ ଆଚାର୍ଯ୍ୟ-ଆଚାର୍ଯ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ଶ୍ରୀକୃଷ୍ଣଙ୍କ ଜୀବନୀ, ଆଦର୍ଶ ଓ ଧର୍ମୀୟ ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ଜନ୍ମାଷ୍ଟମୀ ଉତ୍ସବ ମାଧ୍ୟମରେ ଶିଶୁମାନଙ୍କ ମଧ୍ୟରେ ଆମ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ପ୍ରତି ଆଗ୍ରହ ବୃଦ୍ଧି ପାଇଥିବା ଦେଖାଯାଇଥିଲା।
କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର "
Tags
Latest



