🟢 ବ୍ରେକିଂ ନ୍ୟୁଜ

ସୁନାମାଳରେ ନିଆରା ଢଙ୍ଗରେ ନୁଆଁଖାଇ ଭେଟଘାଟ: ଗାଁର ବିକାଶ ଓ ଏକତା ଉପରେ ଆଲୋଚନା


କଳାହାଣ୍ଡି, (ଖବର ଆମର) (ଦୁଷ୍ମନ୍ତ କୁମାର ଗହୀର): ଗଣପର୍ବ ନୁଆଁଖାଇ ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ମହମହ ହୋଇ ବାସୁଛି ଗାଁ ଦାଣ୍ଡ। ନୁଆଁଖାଇ ଆମ ମାଟି, ଆମ ସଂସ୍କୃତି ଓ ପରମ୍ପରାର ପରିଚୟ ଦେବା ସହ ଭାଇଚାରାର ସମ୍ପର୍କକୁ ଆହୁରି ନିବିଡ଼ କରିଥାଏ।ନୁଆଁଖାଇ ପରେ ଗାଁ ଦାଣ୍ଡରେ, ବରଗଛ ମୂଳେ କିମ୍ବା ଗାଁର ଦେବୀଙ୍କ ପୀଠରେ ଗ୍ରାମବାସୀ ଏକତ୍ରିତ ହୋଇ ଜୁହାର ଭେଟ ହୋଇଥାନ୍ତି। ଏଭଳି ଏକ ନିଆରା ଢଙ୍ଗରେ ଜୁହାର ଭେଟ ସାଙ୍ଗକୁ ଏକ ଆଲୋଚନା ଚକ୍ର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ ପଞ୍ଚାୟତ ଅନ୍ତର୍ଗତ ସୁନାମାଳ ଗ୍ରାମରେ ଦେଖିବାକୁ ମିଳିଛି।ସୂଚନା ଅନୁସାରେ, ଗ୍ରାମର ଆରାଧ୍ୟ ଦେବୀ ମା’ ମାନପୁରିଆଣୀଙ୍କ ପୀଠରେ ପୂଜାର୍ଚ୍ଚନା କରି ନୂଆ ଫଳ ତାଙ୍କୁ ଅର୍ପଣ କରିବା ପରେ ଗ୍ରାମବାସୀ ନବାନ୍ନ ଭକ୍ଷଣ କରିଥିଲେ। ନବାନ୍ନ ଭକ୍ଷଣ ପରେ ଗ୍ରାମର ସମସ୍ତେ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ମା’ ମାନପୁରିଆଣୀଙ୍କ ପୀଠରେ ଏକତ୍ରିତ ହୋଇ ଜୁହାର ଭେଟ ହେବା ସହ ଭାବର ଆଦାନପ୍ରଦାନ କରିଥିଲେ।ଭୁବନେଶ୍ୱର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗ୍ରାମର ସାମଗ୍ରିକ ବିକାଶ, ଗମନାଗମନ ବ୍ୟବସ୍ଥା, ରାସ୍ତାଘାଟ ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ଗ୍ରାମର ସମସ୍ତେ କିଭଳି ସୁଖ, ଶାନ୍ତି ଓ ଏକତାର ଭାବନା ନେଇ ଭାଇଚାରାର ସହିତ ଚଳିବେ, ସେନେଇ ମଧ୍ୟ ମତବିନିମୟ ହୋଇଥିଲା।ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଥିବାରୁ ଗ୍ରାମର ପ୍ରତିନିଧିତ୍ୱ କିଭଳି ରହିବ ଏବଂ ଗ୍ରାମର ସ୍ୱାର୍ଥ ଓ ବିକାଶକୁ କିଭଳି ଆଗେଇ ନିଆଯାଇପାରିବ, ସେନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।ଏହି ନୁଆଁଖାଇ ଭେଟଘାଟ ସଭାରେ ଗ୍ରାମର ଭୁବନେଶ୍ୱର ପାଣିଗ୍ରାହୀ, ଧନମତ ଧାଙ୍ଗଡ଼ାମାଝୀ, ରତ୍ନାକର ଚଣ୍ଡୀ, ଦଇତାରୀ ଭାଟି, ଧନସିଂ ଛତ୍ରିଆ, ତରୁଣ ଧାଙ୍ଗଡ଼ାମାଝୀ, ପୂର୍ଣ୍ଣଚନ୍ଦ୍ର ସାହୁ, ସୁବାସ ସାହୁ, ନବୀନ ହଂସ , ତ୍ରିନାଥ ଠାକୁର, ରାଧେଶ୍ୟାମ ସାହୁ, ସହଦେବ ଚଣ୍ଡୀ, ମେଘନାଥ ଚଣ୍ଡୀ, ଧର୍ମୁ ଶବର, ଗୁଣଧର ଶବର, ରାଜୁ ସାହୁ, ଅରୁଣ କୁମାର ଦୁରିଆ, ଭଗବାନ ହଂସ , ରତନ ଶବର, ରିଖିରାମ ଭାଟି, ମଦନ ପାତ୍ର, ଦେବୀସିଂ ଧାଙ୍ଗଡ଼ାମାଝୀ, ଭକ୍ତରାମ ଶବର, ବୁଟୁ ଶବର ଓ ହରିଶ୍ଚନ୍ଦ୍ର ରୋତି ପ୍ରମୁଖ ଉପସ୍ଥିତ ଥିଲେ।

କଳାହାଣ୍ଡି ରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର)

Previous Post Next Post
Magspot Blogger Template

نموذج الاتصال