କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): ଲଘୁଚାପଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ କୋକସରା ବ୍ଲକରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଗାଁରେ ଘର ଭାଙ୍ଗିବା ସହ ଚାଷଜମିରେ ବନ୍ୟାଜଳ ମାଡ଼ିଯାଇ ଧାନ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।କୋକସରା ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତ ଅନ୍ତର୍ଗତ ଅଁଳାଗୁଡା (ସିର୍ଲିଗୁଡା) ଗ୍ରାମରେ ବର୍ଷାଜଳ ଓ ବନ୍ୟାଜଳ ଚାଷଜମିକୁ ମାଡ଼ିଯିବା ଫଳରେ ବହୁ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମର ଦୁର୍ଜନ କେତକୀ, କେଦାର ନାଗ, କ୍ଷମାନନ୍ଦ ନାଗ, ଗରିବ ନାଗ, ତୁଳସୀ ନାଗ, ବିନୋଦ ନାଏକ, ଘନଶ୍ୟାମ ନାଏକ, ଚନ୍ଦ୍ରହାସ୍ୟ ନାଏକ, ଯଦୁମଣି ନାଗ, ସୁଶାନ୍ତ ନାଗ, ଛବି ଲାହାଜଲ, କଲ୍ୟାଣୀ ନାଏକ, ଚୈତନ୍ୟ ଖଡିକାର, ଦୁଃଖିଶ୍ୟାମ ଖଡିକାର, ପ୍ରସନ୍ନ ଗହୀର ଓ ପରମେଶ୍ୱର ଖଡିକାରଙ୍କ ସମେତ ଅନ୍ୟାନ୍ୟ ଚାଷୀଙ୍କ ଧାନ ଫସଲ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।ସେହିପରି ବଡପୋଡ଼ାଗୁଡା ପଞ୍ଚାୟତ ଅନ୍ତର୍ଗତ ଦାବ୍ରିଗୁଡା ଗ୍ରାମରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବରେ ଚାଷଜମିରେ ପାଣି ଜମି ଧାନ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଗ୍ରାମର ନକୁଳ ମାଝୀ, ମଙ୍ଗଲୁ ମାଝୀ, ରତନ ଧଙ୍ଗଡାମାଝୀ, ସତେ ଚାଲାନ, ରବି ବେଶ୍ରା, କୃଷ୍ଣ ନାଏକ, ମନ୍ଧର ହରିଜନ, ଲାଲୁ ନାଏକ ଓ ଗରିବ ବାଣୁଆ ଙ୍କ ସମେତ ଅନେକ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ରହିଛି।ଚାଷୀମାନଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ଭଲ ଫସଲ ଆଶାରେ ଚାଷ କରିଥିବା ବେଳେ ଅତ୍ୟଧିକ ବର୍ଷା ଯୋଗୁଁ ଚାଷଜମିରେ ବନ୍ୟାଜଳ ମାଡି ରହିଛି । ଫଳରେ ପରିଶ୍ରମ କରି ଚାଷ କରିଥିବା ଧାନ ଫସଲ ପାଣିରେ ବୁଡ଼ି ନଷ୍ଟ ହେବା ସହ ଚାଷୀମାନଙ୍କ ଆର୍ଥିକ କ୍ଷତି ହୋଇଛି। କେତେକ ସ୍ଥାନରେ ଘର ଭାଙ୍ଗିଥିବା ନେଇ ମଧ୍ୟ ଅଭିଯୋଗ ରହିଥିବା ବେଳେ ଟେମରା ଗ୍ରାମରେ ଜଣଙ୍କ ଘର ଭିତରେ ୩ ରୁ ୪ ଫୁଟ ପାଣି ପଶିଯାଇଥିଲା ଫଳରେ ଅଗ୍ନିଶମ ବାହିନୀ ମୋଟର ସାହାଯ୍ୟରେ ଘର ଭିତରୁ ଜଳ ନିଷ୍କାସନ କରାଯାଇଥିଲା lଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରାଯାଇ ଚାଷଜମିର କ୍ଷୟକ୍ଷତିର ଆକଳନ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି। ଏଥିସହ ବର୍ଷା ଓ ବନ୍ୟା ଯୋଗୁଁ ଘର କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କ କ୍ଷୟକ୍ଷତିର ମଧ୍ୟ ତୁରନ୍ତ ଆକଳନ କରି ସହାୟତା ପ୍ରଦାନ କରିବାକୁ ଦାବି ଉଠିଛି।ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ସଠିକ୍ ଆକଳନ କରାଯାଇ କେବେ ସହାୟତା ମିଳୁଛି, ତାହାକୁ ନେଇ ଏବେ କ୍ଷତିଗ୍ରସ୍ତ ଚାଷୀଙ୍କ ନଜର ରହିଛି।
Tags
Latest



