କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୬ର ଡଙ୍ଗରୀଗୁଡ଼ା ନିକଟରେ ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ କୋକସରା ଗ୍ରାମର ମୁରଲୀ ଖମାରୀ (୨୬) ବୋଲି ଜଣା ପଡିଛି ।ସୂଚନା ଅନୁଯାୟୀ, ମୁରଲୀ ଗତକାଲି ବିଳମ୍ବିତ ରାତିରେ ସାଇକେଲ ଯୋଗେ ଜାତୀୟ ରାଜପଥ-୨୬ ଦେଇ ଆସୁଥିବା ସମୟରେ ଡଙ୍ଗରୀଗୁଡ଼ା ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଧକ୍କାଟି ଏତେ ଜୋରଦାର ଥିଲା ଯେ ମୁରଲୀ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ପରେ ଗାଡ଼ିଟି ଘଟଣାସ୍ଥଳରୁ ଦ୍ରୁତଗତିରେ ଫେରାର ହୋଇଯାଇଥିବା ଜଣାପଡ଼ିଛି।ଘଟଣା ସମ୍ପର୍କରେ ଖବର ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁରଲୀଙ୍କ ମୃତଦେହ ଜବତ କରିଥିଲା। ପରେ ମୃତଦେହକୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା।ମୁରଲୀ ପରିବାରର ଜଣେ ରୋଜଗାରିଆ ପୁଅ ଥିବାରୁ ତାଙ୍କ ଅକାଳ ମୃତ୍ୟୁରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ସରକାରଙ୍କ ପକ୍ଷରୁ ଉପଲବ୍ଧ ସମସ୍ତ ସହାୟତା ଓ ସରକାରୀ ସୁବିଧା ଯୋଗାଇ ଦେବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।ଏନେଇ କୋକସରା ଥାନାରେ କେସ୍ ନଂ-୧୯୯/୨୦୨୬ ରେ ମାମଲା ରୁଜୁ ହୋଇଛି। ଅଜଣା ଗାଡ଼ି ଓ ଚାଳକଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି ବୋଲି କୋକସରା ଥାନା ଏସ୍ଆଇ ଡି. ମୋହନ ପ୍ରକାଶ କରିଛନ୍ତି।
କୋକସରା ରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"
Tags
Latest



