🟢 ବ୍ରେକିଂ ନ୍ୟୁଜ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ : ମାଟି, ମଣିଷ ଓ ମମତାର ମହାନ ପର୍ବ


ରାତି ପାହିଲେ ନୁଆଁଖାଇ। ଗାଁ ଦାଣ୍ଡ ଚଳଚଞ୍ଚଳ ହୋଇଉଠିଛି। କେଉଁଠି ଘର ଦ୍ୱାର ଲିପାପୋଛା ଚାଲିଛି, ତ କେଉଁଠି ଘରକୁ ସଜାସଜ୍ଜା କରାଯାଉଛି। ନୂଆ ପୋଷାକ, ନୂଆ ଚୁଡ଼ା, ନୂଆ ଅନ୍ନ ଓ ନୂଆ ଆଶାକୁ ନେଇ ପଶ୍ଚିମ ଓଡ଼ିଶାର ଲୋକଙ୍କ ମନରେ ଉତ୍ସାହର ଲହରୀ ଖେଳିଯାଉଛି। ନୁଆଁଖାଇ କେବଳ ଏକ ପର୍ବ ନୁହେଁ; ଏହା ହେଉଛି ମାଟି ଓ ମଣିଷର ସମ୍ପର୍କ, କୃଷକର ପରିଶ୍ରମ, ପରିବାରର ଏକତା ଏବଂ ଭାଇଚାରାର ଏକ ମହାନ ପରମ୍ପରା।ପଶ୍ଚିମ ଓଡ଼ିଶାର ଗଣପର୍ବ ଭାବେ ନୁଆଁଖାଇର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ପର୍ବ ଲୋକମାନଙ୍କୁ ପରସ୍ପରର ନିକଟତର କରିଥାଏ । ବର୍ଷସାରା ଯେତେ ରାଗ, ରୁଷା, ଅଭିମାନ କିମ୍ବା ମନୋମାଳିନ୍ୟ ରହିଥିଲେ ବି ନୁଆଁଖାଇ ଆସିଲେ ସେସବୁ ଭୁଲି ଲୋକେ ଏକାଠି ହୋଇଥାନ୍ତି। ପରସ୍ପରକୁ ଜୁହାର ଭେଟ ହୋଇ ଆଶୀର୍ବାଦ ନେଇ ଏହି ପରମ୍ପରା ଓ ପର୍ବର ମହତ୍ତ୍ୱକୁ ଆହୁରି ବଢ଼ାଇଥାଏ।


ନୁଆଁଖାଇ ମୁଖ୍ୟତଃ ଏକ କୃଷିଭିତ୍ତିକ ପର୍ବ। ଏହା ପଛରେ ରହିଛି ଚାଷୀର ଅକ୍ଲାନ୍ତ ପରିଶ୍ରମ ଓ ମାଟି ପ୍ରତି ତା’ର ଅସୀମ ଭଲପାଇବା। କୃଷକ ନିଜ ସୁନାର କ୍ଷେତରେ  ଝାଳ ବୁହାଇ ଧାନ ଚାଷ କରିଥାଏ । ମାଟିକୁ ମା’ ଭାବି ତା’ର ଯତ୍ନ ନେଇଥାଏ । ଋତୁ ପରିବର୍ତ୍ତନ ସହିତ ଫସଲ ବଢ଼ିଥାଏ ଏବଂ ଶେଷରେ କୃଷକର ପରିଶ୍ରମର ଫଳ ଭାବେ ନୂଆ ଧାନ ଘରକୁ ଆଣିଥାଏ। ସେହି ନୂଆ ଅନ୍ନକୁ ପ୍ରଥମେ ଦେବା ଦେବୀ ଓ ପିତୃପୁରୁଷଙ୍କୁ ଅର୍ପଣ କରିବା ପରେ ପରିବାର ସଦସ୍ୟମାନେ ତାହା ଭୋଗ କରିଥାନ୍ତି। ଏହି ପରମ୍ପରାରେ ରହିଛି ସ୍ନେହ, ପ୍ରେମ,ଶ୍ରଦ୍ଧା,ଭକ୍ତି ଓ ମାଟି ପ୍ରତି ସମ୍ମାନ।ନୁଆଁଖାଇ ଦିନ ଘରେ ଘରେ ବିଶେଷ ପ୍ରସ୍ତୁତି ହୋଇଥାଏ। ଘର ଅଗଣା ଓ ଦ୍ୱାର ଲିପାପୋଛା କରାଯାଇଥାଏ । ଘରର ପରିବେଶକୁ ପରିଷ୍କାର ଓ ସୁନ୍ଦର ରଖାଯାଏ । ନୂଆ ଧାନରୁ ଚୁଡ଼ା ଓ ଅନ୍ୟାନ୍ୟ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ପରିବାରର ସମସ୍ତେ ଏକାଠି ହୋଇ ରୋଷେଇବାସ କରିଥାନ୍ତି। ଘରର ବଡ଼ମାନଙ୍କ ଆଶୀର୍ବାଦ ନେଇ ସାନମାନେ ପର୍ବର ଆନନ୍ଦ ଉପଭୋଗ କରନ୍ତି।qନୁଆଁଖାଇର ସବୁଠାରୁ ବଡ଼ ବିଶେଷତା ହେଉଛି ପରିବାରର ମିଳନ। ଜୀବିକା କିମ୍ବା ପାଠପଢ଼ା ପାଇଁ ଯିଏ ଯେତେ ଦୂରରେ ଥିଲେ ବି ନୁଆଁଖାଇ ଆସିଲେ ନିଜ ଘରକୁ ଫେରି ଆସିଥାନ୍ତି । ଦୂର ସହରରେ ରହୁଥିବା ପୁଅ, ଝିଅ, ଭାଇ, ଭଉଣୀ ଓ ପରିଜନମାନେ ଘରକୁ ଫେରି ଏକାଠି ନୁଆଁଖାଇ ଥାନ୍ତି। ଏହି ମିଳନରେ ଘରର ଅଗଣା ହସଖୁସିରେ ଭରିଯାଏ। ପରିବାରର ବନ୍ଧନ ଆହୁରି ମଜବୁତ ହୋଇଥାଏ।ନୁଆଁଖାଇ କେବଳ ପରିବାର ମଧ୍ୟରେ ସୀମିତ ନୁହେଁ। ଗାଁ ଗାଁରେ ଆୟୋଜିତ ହୁଏ ନୁଆଁଖାଇ ଭେଟଘାଟ। ଏହି ଅବସରରେ ସମସ୍ତେ ଏକାଠି ହୋଇ ପରସ୍ପରକୁ ଜୁହାର ଭେଟ ହୁଅନ୍ତି। ବଡ଼ମାନଙ୍କ ଠାରୁ ଆଶୀର୍ବାଦ ନିଆଯାଏ ଏବଂ ସାନମାନଙ୍କୁ ସ୍ନେହ ଓ ଶୁଭେଚ୍ଛା ଦିଆଯାଏ। ଏହି ଭେଟଘାଟ ସାମାଜିକ ସମ୍ପର୍କକୁ ନୂଆ ଜୀବନ ଦେଇଥାଏ । ଜାତି, ଧର୍ମ, ବର୍ଣ୍ଣ , ନିର୍ବିଶେଷରେ ସମସ୍ତେ ଏକ ମଞ୍ଚରେ ଏକାଠି ହୁଅନ୍ତି l ନୁଆଁଖାଇ ଅବସରରେ ଛାତ୍ରଛାତ୍ରୀ, ଯୁବକଯୁବତୀ ଓ ମହିଳାମାନଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଲୋକନୃତ୍ୟ, ଲୋକଗୀତ, ଗୀତ, ନୃତ୍ୟ, ଖେଳକୁଦ ଓ ପ୍ରତିଯୋଗିତା ମାଧ୍ୟମରେ ଯୁବପିଢ଼ି ପରମ୍ପରା ସହିତ ଯୋଡ଼ି ହୋଇଥାଏ। ଏହା ଆମ ସଂସ୍କୃତିକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ଏକ ମାଧ୍ୟମ।ନୁଆଁଖାଇର ଆନନ୍ଦ ପରେ ଆସେ ବାସୀ। ବାସୀ ଦିନରେ ଘରେ ଘରେ ଆମିଷ ରୋଷେଇର ଆୟୋଜନ ହୁଏ। ପରିବାର ଓ ଆତ୍ମୀୟସ୍ୱଜନମାନେ ଏକାଠି ବସି ଖାଦ୍ୟ ଖାଇ ଆନନ୍ଦ ଉପଭୋଗ କରିଥାନ୍ତି ।


ନୁଆଁଖାଇର ହସଖୁସି ଓ ଉତ୍ସାହ ବାସୀ ଦିନରେ ମଧ୍ୟ ଜାରି ରହିଥାଏ।ଆଜିର ଆଧୁନିକ ଯୁଗରେ ଜୀବନଶୈଳୀ ବଦଳି ଯାଇଥିଲେ ମଧ୍ୟ ନୁଆଁଖାଇର ମହତ୍ତ୍ୱ କମିନାହିଁ। ବରଂ ବ୍ୟସ୍ତ ଜୀବନରେ ଏହି ପର୍ବ ପରିବାରକୁ ପୁଣି ଏକାଠି କରିବାର ସୁଯୋଗ ଦେଉଛି।ସୋସିଆଲ ମିଡିଆ ଓ ଆଧୁନିକ ଜୀବନର ଦୌଡ଼ ମଧ୍ୟରେ ନୁଆଁଖାଇ ଆମକୁ ଆମ ମାଟି, ମୂଳ ଓ ପରମ୍ପରାକୁ ମନେ ପକାଇ ଦିଏ।ନୁଆଁଖାଇ ଆମକୁ ଏକ ବଡ଼ ଶିକ୍ଷା ଦିଏ—ମଣିଷ ମଣିଷ ମଧ୍ୟରେ ସମ୍ପର୍କ ହିଁ ସବୁଠାରୁ ବଡ଼। ରାଗ, ରୁଷା ଓ ଅଭିମାନକୁ ଭୁଲି ଭାଇଚାରାରେ ବଞ୍ଚିବା, ପରିବାରକୁ ଏକାଠି ରଖିବା ଓ ନିଜ ମାଟିକୁ ସମ୍ମାନ କରିବା ହେଉଛି ଏହି ପର୍ବର ମୂଳ ବାର୍ତ୍ତା।ସେଥିପାଇଁ ନୁଆଁଖାଇ କେବଳ ନୂଆ ଅନ୍ନ ଖାଇବାର ପର୍ବ ନୁହେଁ। ଏହା ହେଉଛି କୃଷକର ପରିଶ୍ରମର ସମ୍ମାନ, ମାଟିର ମହକ, ପରିବାରର ମିଳନ, ସମ୍ପର୍କର ନବୀକରଣ ଏବଂ ସମାଜରେ ଭାଇଚାରାର ବାର୍ତ୍ତା ବାଣ୍ଟିବାର ମହାନ ପର୍ବ। ନୂଆ ଅନ୍ନ ସହ ମଣିଷର ମନରେ ମଧ୍ୟ ନୂଆ ଚିନ୍ତା, ନୂଆ ଆଶା ଓ ନୂଆ ସମ୍ପର୍କର ଆରମ୍ଭ ହେଉ—ଏହା ହିଁ ନୁଆଁଖାଇର ପ୍ରକୃତ ଅର୍ଥ।ନୁଆଁଖାଇ ଆମ ସଂସ୍କୃତିର ଗର୍ବ, ଆମ ମାଟିର ପରିଚୟ ଏବଂ ଆମ ସମ୍ପର୍କର ଅମୂଲ୍ୟ ବନ୍ଧନ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଭାଇଚାରା ଆଣୁ—ଏହା ହିଁ ସମସ୍ତଙ୍କ ମନର କାମନା। 

କଳାହାଣ୍ଡି ରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିରଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال