🟢 ବ୍ରେକିଂ ନ୍ୟୁଜ

ଖୁଟୁଲୁଗୁଡା ଆର.ଡି ରାସ୍ତା ମଝିରେ ବିରାଟ ଗର୍ତ୍ତ,ଯାତାୟାତରେ ବାଧା, ଦୁର୍ଘଟଣା ଆଶଙ୍କା; ମରାମତି ଦାବିରେ ଗ୍ରାମବାସୀ


କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁଗୁଡା ଗ୍ରାମର ଆର.ଡି ରାସ୍ତା ମଝିରେ ସୃଷ୍ଟି ହୋଇଥିବା ବିରାଟ ଗର୍ତ୍ତ ଏବେ ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାସ୍ତାର ଅବସ୍ଥା ଦିନକୁ ଦିନ ଖରାପ ହେଉଥିବାରୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ସହ ଯେକୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିବା ଆଶଙ୍କା ଦେଖାଦେଇଛି।ସୂଚନା ଅନୁସାରେ, ଖଲିଆଭଟା ଛକରୁ ଖୁଟୁଲୁଗୁଡା ଗ୍ରାମ ଦେଇ ଯାଇଥିବା ଏହି ଆର.ଡି ରାସ୍ତା ମୋଟେର-ମୁଖିଗୁଡା ପି.ଡ.ବ୍ଲ୍ୟୁ ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇଥିବା ବେଳେ ଅନ୍ୟପଟେ ମୋଟେର-ଲଡ଼ୁଗାଁ ପ୍ରଧାନମନ୍ତ୍ରୀ ରାସ୍ତା ସହ ମଧ୍ୟ ଯୋଡ଼ି ହୋଇଛି। ଏହି ରାସ୍ତା ଉପରେ ଖୁଟୁଲୁଗୁଡା ସମେତ ଆଖପାଖ ଅଞ୍ଚଳର ଲୋକେ ନିର୍ଭର କରୁଛନ୍ତି।ବିଶେଷକରି ଖୁଟୁଲୁଗୁଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ରାସ୍ତା ମଝିରେ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ଯାତାୟାତ ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ିଛି। ବର୍ଷା ହେଲେ ଗର୍ତ୍ତରେ ପାଣି ଜମି ରହୁଥିବାରୁ ଏହାର ଗଭୀରତା ଜଣାପଡ଼ୁନାହିଁ। ଧୀରେ ଧୀରେ ରାସ୍ତା ଦବି ଯାଉଥିବାରୁ ଆଗାମୀ ଦିନରେ ସମସ୍ୟା ଆହୁରି ଗୁରୁତର ହେବାର ଆଶଙ୍କା ରହିଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗର୍ତ୍ତର ଉଭୟ ପାର୍ଶ୍ୱରେ ମଧ୍ୟ ବିପଜ୍ଜନକ ସ୍ଥିତି ରହିଛି। ଦୁଇଚକିଆ ଯାନ ଚଳାଚଳ କରିବା ମଧ୍ୟ କଷ୍ଟକର ହୋଇପଡ଼ିଥିବା ବେଳେ ଚାରିଚକିଆ ଯାନ ଯିବା ଏକପ୍ରକାର ଅସମ୍ଭବ ହୋଇଛି। ରାତି ସମୟରେ ଗର୍ତ୍ତଟି ଦେଖା ନଯିବାରୁ ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟି ଜୀବନହାନି ହେବାର ଆଶଙ୍କା ଥିବା କହିଛନ୍ତି ଗ୍ରାମବାସୀ।ଏପରିକି ଜରୁରୀ ସମୟରେ ଆମ୍ବୁଲାନ୍ସ ଭଳି ଅତ୍ୟାବଶ୍ୟକ ଯାନ ମଧ୍ୟ ଗ୍ରାମ ଭିତରକୁ ପହଞ୍ଚିବାରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ରାସ୍ତାର ଏଭଳି ଅବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି।ଗର୍ତ୍ତଟିକୁ ତୁରନ୍ତ ପୋତି ରାସ୍ତା ମରାମତି କରିବା ପାଇଁ ଗ୍ରାମବାସୀ ବାରମ୍ବାର ଦାବି ଓ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନଥିବା ସେମାନେ କହିଛନ୍ତି। ତେଣୁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତା ମରାମତି କରିବାକୁ ଦାବି ଜୋର ଧରିଛି। ଏବେ ପ୍ରଶାସନ ଏହି ସମସ୍ୟା ଉପରେ କେବେ ଦୃଷ୍ଟି ଦେଇ ମରାମତି କାର୍ଯ୍ୟ ଆରମ୍ଭ କରୁଛି, ତାହାକୁ ନେଇ ସାଧାରଣରେ ଅପେକ୍ଷା ରହିଛି।


କଳାହାଣ୍ଡି ଜିଲ୍ଲା ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال