କଳାହାଣ୍ଡି, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର) ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ମହାନ ପର୍ବ ନୁଆଁଖାଇ ଅବସରରେ ଭବାନୀପାଟଣା ଲାଲ ବହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ବିଜେପି ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନୁଆଁଖାଇର ପରମ୍ପରା, ଭାଇଚାରା ଓ ଜୁହାର ଭେଟର ଭାବନାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ ନେତା, ଜନପ୍ରତିନିଧି, କର୍ମକର୍ତ୍ତା ଓ ସାଧାରଣ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା।କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ କଳାହାଣ୍ଡି ସାଂସଦ ମାଲବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ସମେତ ହିମାଂଶୁ ପଣ୍ଡା, ରୀନା ଭୋଇ, ଦେବେନ୍ଦ୍ର ମହାନ୍ତି, ହିମାଂଶୁ ମେହେର, କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଲ କିଶୋର ପୋଡ଼ ଓ ମମିତା ରାଣୀ ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଦଳୀୟ କର୍ମକର୍ତ୍ତା ଓ ସମର୍ଥକମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ନୁଆଁଖାଇ ଭେଟଘାଟ ଅବସରରେ ଉପସ୍ଥିତ ଜନତା ଓ ଜନପ୍ରତିନିଧିଙ୍କ ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଦେଖିବାର ବ୍ୟବସ୍ଥା କରାଯାଇଥିଲା। ସମସ୍ତେ ଏକାଠି ହୋଇ ‘ମନ କି ବାତ’ ଶୁଣିଥିଲେ।ଏହି ଭେଟଘାଟ କାର୍ଯ୍ୟକ୍ରମକୁ ନେଇ ଦଳୀୟ ନେତାମାନେ କହିଥିଲେ ଯେ, ନୁଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ପଶ୍ଚିମ ଓଡ଼ିଶାର ମାଟି, କୃଷି, ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ଏକ ମହାନ ଗଣପର୍ବ। ଏହି ଅବସରରେ ଜୁହାର ଭେଟ ମାଧ୍ୟମରେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ହେବା ସହ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ସେମାନେ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ କଳାହାଣ୍ଡିର ପାରମ୍ପରିକ ଘୁମୁରା ବୀର ବାଦ୍ୟର ଆକର୍ଷଣ ଦେଖିବାକୁ ମିଳିଥିଲା। ଘୁମୁରାର ତାଳେ ତାଳେ ଦୁଲୁକିଥିଲା ମଞ୍ଚ ଓ ପରିବେଶ ସୃଷ୍ଟି ହୋଇଥିଲା ଉତ୍ସବମୁଖର। ଏଥିସହ ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ନୃତ୍ୟ, ସଙ୍ଗୀତ ସମେତ ବିଭିନ୍ନ ସାଂସ୍କୃତିକ ପରିବେଷଣ କରାଯାଇଥିଲା। ନୁଆଁଖାଇର ଭାଇଚାରା, ସାଂସ୍କୃତିକ ପରମ୍ପରା ଓ ଜୁହାର ଭେଟର ଭାବନାରେ ସମଗ୍ର କାର୍ଯ୍ୟକ୍ରମ ଉତ୍ସବମୁଖର ହୋଇଉଠିଥିଲା।
କଳାହାଣ୍ଡିରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"
Tags
Latest



