ଧର୍ମଗଡ଼, (ଖବର ଆମର) (ହୁକିମ ବିଶି): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧୀନ ଛଞ୍ଚାଣବାହାଲି ଧାନ ମଣ୍ଡି ଠାରେ ଦଣ୍ଡପାଟ ଅଞ୍ଚଳ ସାମ୍ବାଦିକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ଅବସରରେ ଦଣ୍ଡପାଟ ଅଞ୍ଚଳର ବରିଷ୍ଠ ଓ ଯୁବ ସାମ୍ବାଦିକମାନେ ଏକତ୍ରିତ ହୋଇ ପରସ୍ପରକୁ ‘ନୂଆଁଖାଇ ଜୁହାର ଭେଟ ’ ହୋଇଥିଲେ। ଜୁହାର ଭେଟ ସହ ଅଞ୍ଚଳର ସଂସ୍କୃତି, ପରମ୍ପରା ଓ ଭାଇଚାରାକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ଦୈନନ୍ଦିନ ଖବର ସଂଗ୍ରହର ବ୍ୟସ୍ତତା ଜୀବନ ଭିତରେ ସମୟ ବାହାର କରି ସାମ୍ବାଦିକମାନେ ଏକ ପାରିବାରିକ ଭଲି ନିବିଡ଼ ସମ୍ପର୍କର ଭାବଧାରାରେ ବନ୍ଧୁମିଳନର ଆନନ୍ଦ ଉପଭୋଗ କରିଥିଲେ।କାର୍ଯ୍ୟକ୍ରମ ଅବସରରେ ଅଞ୍ଚଳର ବିଭିନ୍ନ ଜ୍ୱଳନ୍ତ ଓ ମୌଳିକ ସମସ୍ୟାକୁ ନେଇ ଏକ ବୌଦ୍ଧିକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ‘ସକାଳ’ ପ୍ରତିନିଧି ଆଶୁତୋଷ ରାଉତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ୟଜ୍ୟୋତି ଜାଲ, ସୁବାସ ବାଗ, ସାମ୍ବାଦିକ ଖଗପତି ନାଏକ ଓ ପଦ୍ମନ ବେମାଲ ମଞ୍ଚାସିନ ହୋଇଥିଲେ। ପରସ୍ପର ଆଲୋଚନାରେ ଦଣ୍ଡପାଟ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ କୃଷି ସମସ୍ୟା ଉପରେ ବ୍ୟାପକ ଭାବେ ଖବର ପ୍ରସାରଣ କରିବା ନେଇ ମତ ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକଙ୍କ ସମସ୍ୟା ଓ ଦାବିକୁ ଗଣମାଧ୍ୟମ ମାଧ୍ୟମରେ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟିକୁ ଆଣିବା ସହ ସମସ୍ୟାର ସମାଧାନ ଦିଗରେ ସାମ୍ବାଦିକମାନେ ନିଜ ନିଜ ମତ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଯଦୁମଣି ଦୁର୍ଗା, ଉପେନ୍ଦ୍ର ନାଏକ, ଦିଲୀପ ଦୁରିଆ, ଚିତ୍ତରଞ୍ଜନ ନାଏକ, ରାଜେଶ ନାଏକ, ହୁକିମ ବିଶି, ହୃଷିକେଶ ଖଗପତି ନାଏକ, ହୃଷିକେଶ ଗୋପାଳ, ପ୍ରଦୀପ ସେଠିଆ, ଆମୋଜ ଧରୁଆ ଓ ଉଦିତ ଠାକୁର ପ୍ରମୁଖ ଯୋଗଦେଇଥିଲେ। ଗ୍ରାମାଞ୍ଚଳର ବିକାଶରେ ଗଣମାଧ୍ୟମର ସକାରାତ୍ମକ ଭୂମିକା ରହିବା ଆବଶ୍ୟକ ବୋଲି ବରିଷ୍ଠ ସାମ୍ବାଦିକମାନେ ମତ ଦେଇଥିଲେ।କାର୍ଯ୍ୟକ୍ରମକୁ ରୁପେନ୍ଦ୍ର ସୁନାନି ପରିଚାଳନା କରିଥିଲେ। ଆଗାମୀ ଦିନରେ ଦଣ୍ଡପାଟ ଅଞ୍ଚଳର ସାମଗ୍ରିକ ବିକାଶ, ଜନସମସ୍ୟାର ପ୍ରଚାର-ପ୍ରସାର ଓ ସମାଧାନ ଦିଗରେ ସାମ୍ବାଦିକ ସଂଘ ସଦାସର୍ବଦା ସକ୍ରିୟ ଭୂମିକା ନେବ ବୋଲି ଏକ ସ୍ୱରରେ କହିଥିଲେ l
Tags
Latest



