କୋକସରା,(ଖବର ଆମର) (ଦୁଷ୍ମନ୍ତ କୁମାର ଗହିର): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଚିଲଗୁଡା-କାଶୀବାହାଲକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଦୀର୍ଘଦିନ ଧରି ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ଦୈନିକ ଯାତାୟାତରେ ଲୋକଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।ସୂଚନା ଅନୁଯାୟୀ, ଚିଲଗୁଡା-କାଶୀବାହାଲ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏହି ରାସ୍ତାର ଦୀର୍ଘଦିନ ହେଲା ମରାମତି ହୋଇନାହିଁ। ଫଳରେ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଯାତାୟାତ ପାଇଁ ବିପଦପୂର୍ଣ୍ଣ ପରିସ୍ଥିତି ରହିଛି । ବିଶେଷକରି ବର୍ଷା ଦିନରେ ଗର୍ତ୍ତଗୁଡ଼ିକରେ ପାଣି ଜମିଯିବାରୁ ରାସ୍ତା ରେ ଥିବା ଗର୍ତ୍ତର ଗଭୀର ଜଣାପଡ଼ୁନାହିଁ। ଏହା ଯୋଗୁଁ ଦୁଇଚକିଆ ଯାନ ଚାଳକମାନେ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୋଇଛି।ରାସ୍ତାର ଏଭଳି ଦୁରବସ୍ଥା ଯୋଗୁଁ ଫୁପଗାଁ, ମଧୁପୁର, ସିର୍ଲିଗୁଡା, ନୂଆପଡା, କାଶୀବାହାଲ ଓ ଗତାବନ୍ଧ ଗ୍ରାମର ଜନସାଧାରଣ ଯାତାୟାତ କରିବା ସହିତ ରୋଗୀଙ୍କୁ ହସ୍ପିଟାଲ ନେବା, ଛାତ୍ରଛାତ୍ରୀଙ୍କ ଯାତାୟାତ ଏବଂ ଜରୁରୀକାଳୀନ ସମୟରେ ଯାତାୟାତରେ ଘୋର ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି ଏବଂ ତାହା ଯମ ଯନ୍ତ୍ରଣାଠୁ ବି ଅଧିକ କଷ୍ଟଦାୟକ ହୋଇପଡୁଛି । ରାତି ସମୟରେ ଯାତାୟତରେ ସମସ୍ୟା ଆହୁରି ଗୁରୁତର ହୋଇପଡ଼ୁଛି।ଏନେଇ ରାସ୍ତାର ତୁରନ୍ତ ମରାମତି କରିବା ଦାବିରେ ୫ ଟି ଗ୍ରାମର ସମସ୍ତ ଜନସାଧାରଣ ସ୍ଥାନୀୟ ବିଧାୟକଙ୍କୁ ଏକ ଲିଖିତ ଅଭିଯୋଗପତ୍ର ଦେଇ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାସ୍ତାର ଦୁରବସ୍ଥା ପ୍ରତି ଗୁରୁତ୍ୱ ଦେଇ ଶୀଘ୍ର ମରାମତି କରାଗଲେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟା ଦୂର ହେବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।
କୋକସରା ରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର "
Tags
Latest



