ପାଠପଢ଼ା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ସହ ସୃଜନଶୀଳତା ବିକାଶ ଉପରେ ଗୁରୁତ୍ୱ
କଳାହାଣ୍ଡି,(ଖବର ଆମର):ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ବୃଦ୍ଧି, ସୃଜନଶୀଳତାର ବିକାଶ ଏବଂ ସମସ୍ତଙ୍କ ନିକଟରେ ସାକ୍ଷରତାର ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟରେ ରିଜିଓନାଲ କାଉନସିଲ୍ ଫର୍ ଡେଭଲପମେଣ୍ଟ ଆଣ୍ଡ କୋ-ଅପରେସନ୍ (RCDC) ପକ୍ଷରୁ ସରକାରୀ ଶିକ୍ଷା ବିଭାଗର ସହଯୋଗରେ ଧର୍ମଗଡ଼ ବ୍ଲକର ୧୨ଟି ବିଦ୍ୟାଳୟରେ ୭ ଦିନିଆ ଆନ୍ତର୍ଜାତୀୟ ସାକ୍ଷରତା ସପ୍ତାହ ପାଳନ କରାଯାଇଛି।ସେପ୍ଟେମ୍ବର ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ପାଠପଢ଼ାକୁ ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଂଶ କରିବା ସହ ବିଦ୍ୟାଳୟ ବାହାରେ ମଧ୍ୟ ପଢ଼ିବାର ଅଭ୍ୟାସ ଗଢ଼ି ତୋଳିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ସପ୍ତାହର ବିଭିନ୍ନ ଦିନରେ “Open a Book, Open a World”, “My Story, My Voice”, “Read Together”, “Literacy Beyond Textbooks”, “Every Child Can Read”, “Young Literacy Champions” ଏବଂ “India Reads Together” ଭଳି ବିଷୟବସ୍ତୁକୁ ଆଧାର କରି ବିଭିନ୍ନ ଶିକ୍ଷଣମୂଳକ ଓ ସୃଜନଶୀଳ କାର୍ଯ୍ୟକଳାପ ହୋଇଥିଲା। ଏଥିରେ ପାଠପଢ଼ା, କାହାଣୀ କଥନ, ନିଜ ଅନୁଭୂତି ପ୍ରକାଶ, ସାମୂହିକ ପଠନ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଭାଗ ନେଇଥିଲେ।ଧର୍ମଗଡ଼ ବ୍ଲକର ଠାକୁରାଣୀ ହାଇସ୍କୁଲ, ଛଞ୍ଚାଣବାହାଲି, ୟୁପିଏସ୍ କେରମୁଣ୍ଡା, ପ୍ରାଥମିକ ବିଦ୍ୟାଳୟ ନୁନପାଣି, ୟୁପିଏସ୍ କୋତମେର, ୟୁପିଏସ୍ ଟିପିଗୁଡ଼ା, ୟୁପିଏସ୍ ପାଇକପଡ଼ା, ୟୁପିଏସ୍ କାଙ୍କେରି, ୟୁପିଏସ୍ ଗତାଗୁଡ଼ା, ୟୁପିଏସ୍ ବୋକ୍ରାସିଲ, ପ୍ରାଥମିକ ବିଦ୍ୟାଳୟ ଟେକପଡ଼ା, ପ୍ରାଥମିକ ବିଦ୍ୟାଳୟ ଭାଲୁଚୁଆଁ ଏବଂ ପ୍ରାଥମିକ ବିଦ୍ୟାଳୟ ପଲସପାଣିରେ ଏହି ଅଭିଯାନ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମର ସମନ୍ୱୟ ଓ ପରିଚାଳନାରେ RCDCର ସିନିୟର ମ୍ୟାନେଜର ରବିନାରାୟଣ ତ୍ରିପାଠୀ, ପ୍ରୋଗ୍ରାମ ଅଫିସର ସନ୍ଦୀପ କୁମାର ନାଗ ଏବଂ ପ୍ରୋଗ୍ରାମ ଅଫିସର ବିହାରୀ ରାଉତ ଭୂମିକା ନିର୍ବାହ କରିଥିଲେ। ସେହିପରି କମ୍ୟୁନିଟି ମୋବିଲାଇଜର ସୀତାକାନ୍ତ ମାଝୀ, ଆଦିତ୍ୟ ଅଧିକାରୀ, ଜଗଦୀଶ ନାଏକ, ଟୁକୁ ପଣ୍ଡା, ଦିବାକର ଭଇସାଲ ଓ ହୁକିମ ଚନ୍ଦ୍ର ଭଇସାଲ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ।ଏହି ଅଭିଯାନକୁ ସଫଳ କରିବାରେ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗ ରହିଥିଲା। ପୁସ୍ତକ ପଠନ ଓ ଶିକ୍ଷାକୁ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରଖି ଜୀବନ ସହ ଯୋଡ଼ିବା, ପଢ଼ିବାର ଅଭ୍ୟାସକୁ ନିୟମିତ କରିବା ଏବଂ ଶିଶୁମାନଙ୍କ ମଧ୍ୟରେ ପଠନ ସଂସ୍କୃତି ବିକାଶ କରିବା ଏହି ସାକ୍ଷରତା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।
କଳାହାଣ୍ଡି ରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିରଙ୍କ ରିପୋର୍ଟ "ଖବର ଆମର)
Tags
Latest



