ଜୁନାଗଡ଼, (ଖବର ଆମର): କଳାହାଣ୍ଡିର ପାରମ୍ପରିକ ଲୋକକଳା ଘୁମୁରାକୁ ସଂରକ୍ଷଣ ଓ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କରଚଲା ଗ୍ରାମରେ ଏକ ଭବ୍ୟ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାଦେବ ପୂଜା କମିଟି, କରଚଲା ପକ୍ଷରୁ ଆୟୋଜିତ ଏହି ସାଂସ୍କୃତିକ ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ଘୁମୁରା ଦଳ ଯୋଗଦେଇ ନିଜର ନୃତ୍ୟକଳା ପ୍ରଦର୍ଶନ କରିଥିଲେ। ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା।କାର୍ଯ୍ୟକ୍ରମରେ ଅଭିମନ୍ୟୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଚନ୍ଦ୍ରକାନ୍ତ ମାଝୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଘୁମୁରା ନୃତ୍ୟର ଐତିହାସିକ ପୃଷ୍ଠଭୂମି, ମହତ୍ତ୍ୱ ଓ ଏହାର ସାଂସ୍କୃତିକ ପରିଚୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଦୁର୍ବିନ ନାଏକ, ସୀମାଞ୍ଚଳ ନାଗ, ପୁରୁଷୋତ୍ତମ ମୁଣ୍ଡ, କେଶ୍ରୀ ମାଝୀ ଓ ଜିତେନ୍ଦ୍ର କୁମାର ନାଏକ ପ୍ରମୁଖ ମଞ୍ଚାସୀନ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।ପ୍ରତିଯୋଗିତାରେ ପର୍ଲା ନୂଆପଡ଼ା ଘୁମୁରା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଅନ୍ତର୍ଲା ଦଳ ଦ୍ୱିତୀୟ ଏବଂ ଘଣ୍ଟିଗୁଡ଼ା ଦଳ ତୃତୀୟ ସ୍ଥାନ ହାସଲ କରିଥିଲେ। ବିଜୟୀ ଦଳଗୁଡ଼ିକୁ କମିଟି ପକ୍ଷରୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ସମାଜସେବା ଓ ନିଜ ନିଜ କ୍ଷେତ୍ରରେ ଅବଦାନ ପାଇଁ ଅଞ୍ଚଳର କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସାମ୍ବାଦିକ ରୋହିତ ବାଗଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମକୁ କମିଟିର ସଭାପତି ସୁବାଷ ଚନ୍ଦ୍ର ଲହଜଲ, ଉପସଭାପତି ବୈଦ୍ୟନାଥ ନିମୁଳିଆ, ସହସମ୍ପାଦକ ଅର୍ଜୁନ ସଗଡ଼ିଆ, କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ପଣ୍ଡା, ସହକୋଷାଧ୍ୟକ୍ଷ ଲବଣୀଶ୍ୱର ପଣ୍ଡା ଓ ପ୍ରଯୋଜକ ସାନୁର୍ଜ୍ୟ ନାଏକଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ। ମଞ୍ଚ ପରିଚାଳନା ଦାୟିତ୍ୱ ଦିନେଶ ଚନ୍ଦ୍ର ଲହଜଲ ଓ ଅର୍ଜୁନ ସଗଡ଼ିଆ ତୁଲାଇଥିଲେ।ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଚିଲିଗୁଡ଼ା ଫାଣ୍ଡି ଅଧିକାରୀ ନିଜ ଟିମ୍ ସହ ଉପସ୍ଥିତ ରହିଥିଲେ। ଗ୍ରାମର ଯୁବକ ସଂଘ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀଙ୍କ ସାମୂହିକ ସହଯୋଗରେ ଏହି ସାଂସ୍କୃତିକ ଉତ୍ସବ ସଫଳତାର ସହ ସମାପନ ହୋଇଥିଲା।
(ରୋହିତ କୁମାର ବାଗ ଙ୍କ ରିପୋର୍ଟ)
Tags
Latest



