କଳାହାଣ୍ଡି (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚକୁଳି ନିକଟରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ଏକ ପୋଲ ତଳକୁ ବାଇକ୍ ଖସିପଡ଼ିବା ଫଳରେ ଦୁଇ କକା-ପୁତୁରାଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ପଲାସ ଗ୍ରାମର ନରେଶ ନାଏକ (୩୩) ଓ ପ୍ରଦୀପ ନାଏକ (୩୨)। ଏହି ଅଘଟଣକୁ ନେଇ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଉଭୟ ଏକ ପଲସର ବାଇକ୍ (ନଂ- OD08U-5287) ଯୋଗେ ହାବସପୁରରୁ ଯାତ୍ରା ଦେଖି ନିଜ ଗ୍ରାମ ପଲାସକୁ ଫେରୁଥିଲେ। ଏହି ସମୟରେ ଚକୁଳି ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ଉଭୟ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ଜଣାପଡ଼ିଛି।ମଙ୍ଗଳବାର ସକାଳେ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଉଭୟଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଡାକ୍ତରଖାନାକୁ ପଠାଇଥିଲା। ଏହି ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ପରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।ଅନ୍ୟପଟେ, ଗୋଟିଏ ପରିବାରର ଦୁଇ ସଦସ୍ୟଙ୍କ ଅକାଳ ବିୟୋଗରେ ପଲାସ ଗ୍ରାମରେ ଗଭୀର ଶୋକ ପ୍ରକାଶ ପାଇଛି। ଦୁଇ କକା-ପୁତୁରାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ କାନ୍ଦବୋବାଳିରେ ପରିବେଶ ଶୋକାକୁଳ ହୋଇପଡ଼ିଛି। ଏହି ଅକାଳ ମୃତ୍ୟୁ ଗ୍ରାମବାସୀଙ୍କୁ ମର୍ମାହତ କରିଛି।
କଳାହାଣ୍ଡିରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"
Tags
Latest



