କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): ମା’ ଜଗଜ୍ଜନନୀ ଦୁର୍ଗାଙ୍କ ସାର୍ବଜନୀନ ଦୁର୍ଗାପୂଜାର ଶେଷ ରଜନୀରେ କୋକସରା ଗୁଡ଼ାହାଣ୍ଡି ମଞ୍ଚରେ ଏକ ଭବ୍ୟ ଘୁମୁରା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। କୋକସରା ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ଏହି ସାଂସ୍କୃତିକ ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ଘୁମୁରା ଦଳ ଯୋଗଦେଇ ନିଜ ନିଜର ନୃତ୍ୟକଳା ଓ ପାରମ୍ପରିକ ବାଦ୍ୟର ଅପୂର୍ବ ସମନ୍ୱୟ ପ୍ରଦର୍ଶନ କରିଥିଲେ। ଏହି ମନୋରମ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ମଞ୍ଚ ସମ୍ମୁଖରେ ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା।ଏହି ଅବସରରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଲଛମନ ବାଗ ମୁଖ୍ୟବକ୍ତା ଏବଂ ଓମଫେଡ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅତିଥିମାନେ ଘୁମୁରା ନୃତ୍ୟର ଐତିହାସିକ ପୃଷ୍ଠଭୂମି, ମହତ୍ତ୍ୱ ଓ ଏହାର ସମୃଦ୍ଧ ସାଂସ୍କୃତିକ ପରିଚୟ ସମ୍ପର୍କରେ ଆଲୋକପାତ କରିବା ସହ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ପାରମ୍ପରିକ ବୀରବାଦ୍ୟ ଘୁମୁରାର ସଂରକ୍ଷଣ ଓ ପ୍ରଚାର ପ୍ରସାରର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।ପ୍ରତିଯୋଗିତାରେ ଘଣ୍ଟିଗୁଡ଼ା ଘୁମୁରା ଦଳ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ବଳରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ତର୍ଲା ଦଳ ଦ୍ୱିତୀୟ ଏବଂ ପର୍ଲ୍ଲା ଦଳ ତୃତୀୟ ସ୍ଥାନ ହାସଲ କରିଥିଲେ। ବିଜୟୀ ଦଳଗୁଡ଼ିକୁ ଆୟୋଜକ କମିଟି ପକ୍ଷରୁ ପୁରସ୍କୃତ କରାଯାଇଥିଲା।ଘୁମୁରା ପ୍ରତିଯୋଗିତାର ବିଚାରକ ଭାବେ ତ୍ରିଦସ ନାଏକ, ସଦାନନ୍ଦ ବାଗ, ନାରାୟଣ ପଟ୍ଟନାୟକ ଓ ପନ୍ନଗ ପଟ୍ଟନାୟକ ଦାୟିତ୍ୱ ତୁଲାଇଥିଲେ। କାର୍ଯ୍ୟକ୍ରମକୁ କମିଟିର ସଭାପତି କ୍ଷୀରସିନ୍ଧୁ ନେଗୀ, ସମ୍ପାଦକ ଗୁଣନିଧି ବାଗ, ମାନସ ରଞ୍ଜନ ପ୍ରଧାନୀ, ଦୁଷ୍ମନ୍ତ ପଟ୍ଟଯୋଶୀ, କୋଷାଧ୍ୟକ୍ଷ ସଚିନ ଗୁପ୍ତାଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ। ମଞ୍ଚ ପରିଚାଳନା ସୁନୀଲ ପ୍ରଧାନୀ ଓ ସୁବାଷ ବାଗ କରିଥିଲେ।ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କୋକସରା ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ମୁତୟନ ରହିଥିଲେ। ଗ୍ରାମର ଯୁବକ ସଂଘ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀଙ୍କ ସାମୂହିକ ସହଯୋଗରେ ଏହି ସାଂସ୍କୃତିକ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା।ଏଥିସହ ଆସନ୍ତା ଶୁକ୍ରବାର ଦିନ ଦୁର୍ଗାପୂଜାର ଭସାଣି ଉତ୍ସବ ଆୟୋଜନ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
କୋକସରାରୁ ବ୍ୟୁରୋ ଚିଫ୍ ଦୁଷ୍ମନ୍ତ କୁମାର ଗହିରଙ୍କ ରିପୋର୍ଟ, “ଖବର ଆମର”।
Tags
Latest



