🟢 ବ୍ରେକିଂ ନ୍ୟୁଜ

ଡାଲଗୁମାରେ ଦେଶୀ ମଦକୋଠି ବନ୍ଦ ଦାବି ଥାନାର ଦ୍ୱାରସ୍ଥ ହେଲେ ଶତାଧିକ ମହିଳା ଓ ପୁରୁଷ


କୋକସରା, (ଖବର ଆମର) (ଦୁଷ୍ମନ୍ତ କୁମାର ଗହିର): ଗାଁରେ ଦେଶୀ ମଦ ବିକ୍ରି ବନ୍ଦ କରି ମଦମୁକ୍ତ ପରିବେଶ ସୃଷ୍ଟି କରିବା ଦାବିରେ ଏକାଠି ହୋଇଛନ୍ତି ଶତାଧିକ ମହିଳା ଓ ପୁରୁଷ। ଏଭଳି ଏକ ଘଟଣା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ଗ୍ରାମରେ ଦେଖିବାକୁ ମିଳିଛି।ଗ୍ରାମରେ ଦେଶୀ ମଦକୋଠି ଚାଲୁଥିବା ଯୋଗୁଁ ଅଞ୍ଚଳର ସାମାଜିକ ପରିବେଶ ଓ ପାରିବାରିକ ଜୀବନ ଉପରେ ଏହାର କୁପ୍ରଭାବ ପଡ଼ୁଥିବା ଅଭିଯୋଗ କରି ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ପରେ ‘ଗାଁରେ ମଦ ବନ୍ଦ ଆମର ଦାବି’ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିବା ସହ କୋକସରା ଥାନାରେ ପହଞ୍ଚିଥିଲେ।ସେଠାରେ ଥାନାର ଏସ୍‌ଆଇ ଡି. ମୋହନଙ୍କୁ ଗ୍ରାମରେ ଦେଶୀ ମଦକୋଠି ବନ୍ଦ କରିବା ଦାବିରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ଅବକାରୀ ବିଭାଗକୁ ମଧ୍ୟ ଦାବିପତ୍ର ଦେବାକୁ ଯାଇଥିଲେ। ତେବେ କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଦେଖି ସେମାନେ ନିରାଶ ହୋଇ ଫେରିଥିବା ଜଣାପଡ଼ିଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଡାଲଗୁମା ଗ୍ରାମରେ ପ୍ରାୟ ୫ଟି ଦେଶୀ ମଦକୋଠି ଚାଲୁଛି। ଏହାଦ୍ୱାରା ଲୋକେ ମଦ୍ୟପାନ କରି ଆର୍ଥିକ କ୍ଷତି ସହିବା ସହ ପରିବାରରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି ହେଉଥିବା ସେମାନେ କହିଛନ୍ତି। ଏପରିକି ରାସ୍ତାଘାଟରେ ମଦ୍ୟପାନ କରି ବିଶୃଙ୍ଖଳା କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।ଗ୍ରାମରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶ ବଜାୟ ରଖିବା ପାଇଁ ସମସ୍ତ ଦେଶୀ ମଦକୋଠି ବନ୍ଦ କରିବା ସହ ଡାଲଗୁମାକୁ ମଦମୁକ୍ତ ଗ୍ରାମ ଭାବେ ଗଢ଼ି ତୋଳିବାକୁ ଗ୍ରାମବାସୀ ଦାବି କରିଛନ୍ତି।ଏହି ଅଭିଯାନରେ ବିଶାଖା ଧରୁଆ, ନେପୁର ପୁଝାରୀ, ପ୍ରଭାତୀ ଚଣ୍ଡୀ, ଦମୟନ୍ତୀ ଚଣ୍ଡୀ, ହେମନ୍ତୀ ମାଝୀ, ତାରିଣୀ ନାଏକ, ସଙ୍ଗୀତା ବାଗ, ପ୍ରଭାସିନୀ ମାଝୀ, ଦୁର୍ମିଳା ଖରସେଲ, ହରିହର ମାଝୀ, ନରେଶ ନାରାୟଣ ଚଣ୍ଡୀ, ଗୋବିନ୍ଦ ନାଏକ, ମଦନ ନାଗ, ସମିତି ସଭ୍ୟ ଚିନ୍ତାମଣି ଚଣ୍ଡୀ, ଯୁବ ସାମ୍ବାଦିକ ଆମୋଜ ଧରୁଆ, ଶଙ୍ଖା ବାଗ, ସୁନିତା ଖରସେଲ, ବାସନ୍ତୀ ମାଝୀ ଓ ସୌମ୍ୟ ରଞ୍ଜନ ମାଝୀଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ।

କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال