କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): କଳା ଓ ସଂସ୍କୃତିର ସଂରକ୍ଷଣ ସହ ସଂକୀର୍ତ୍ତନ କଳାକାରଙ୍କୁ ସଂଗଠିତ କରିବା ଉଦ୍ଦେଶ୍ୟରେ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ଲୋକକଳା ମହାସଂଘ, ଓଡ଼ିଶା ପକ୍ଷରୁ ବ୍ଲକସ୍ତରୀୟ ସଂକୀର୍ତ୍ତନ ମଣ୍ଡଳୀ ପଞ୍ଜୀକରଣ ଓ କଳାକାର ପରିଚୟପତ୍ର ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ମହାସଂଘର ରାଜ୍ୟ ସଭାପତି ଡ. କରୁଣା କରପ୍ରଧାନ ଓ ସମ୍ପାଦକ ସୁଦର୍ଶନ ଚମ୍ପତିଙ୍କ ନିର୍ଦ୍ଦେଶକ୍ରମେ କୋକସରା ବ୍ଲକ ସଭାପତି ତଥା ସଂକୀର୍ତ୍ତନ ଗୁରୁ ଶ୍ରୀ ଘଟ କିଶୋର ଠେଲାଙ୍କ ନେତୃତ୍ୱରେ ବ୍ଲକର ଫୁପଗାଁ ପଞ୍ଚାୟତ ଅନ୍ତର୍ଗତ ସିର୍ଲିଗୁଡ଼ାଠାରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ୫୦ରୁ ଊର୍ଦ୍ଧ୍ୱ ସଂକୀର୍ତ୍ତନ କଳାକାରଙ୍କୁ ମାନପତ୍ର ସହ ପରିଚୟପତ୍ର ପ୍ରଦାନ କରାଯାଇଥିଲା।ଏହି ଅବସରରେ ମହାସଂଘର କୋକସରା ବ୍ଲକ ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ଶବର, ବ୍ଲକ ସଂଯୋଜକ ଶ୍ରୀ ଦୀପକ କୁମାର ଚନ୍ଦନ ଏବଂ ସଂଘର ଉପସଭାପତି ଶ୍ରୀ କ୍ଷୀରୋଦ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ଲୋକକଳା ମହାସଂଘ ପକ୍ଷରୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସହ ସଂକୀର୍ତ୍ତନ ମଣ୍ଡଳୀଗୁଡ଼ିକୁ ମହାସଂଘରେ ସାମିଲ କରିବା ପ୍ରୟାସ ଜାରି ରହିଛି। କୋକସରା ବ୍ଲକରେ ବର୍ତ୍ତମାନ ସୁଦ୍ଧା ୧୫ଟି ସଂକୀର୍ତ୍ତନ ମଣ୍ଡଳୀ ମହାସଂଘରେ ସାମିଲ ହୋଇଥିବା ସୂଚନା ମିଳିଛି।ଆଗାମୀ ଦିନରେ ଅଧିକ ସଂକୀର୍ତ୍ତନ ମଣ୍ଡଳୀକୁ ସଂଗଠନରେ ସାମିଲ କରିବାକୁ ଯୋଜନା ରହିଛି। ଏଥିପାଇଁ ଆଗ୍ରହୀ ସଂକୀର୍ତ୍ତନ ମଣ୍ଡଳୀଗୁଡ଼ିକ ମହାସଂଘର ବ୍ଲକସ୍ତରୀୟ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରି ସଂଗଠନରେ ଯୋଡ଼ି ହୋଇପାରିବେ ବୋଲି ବ୍ଲକ ସଭାପତି ଶ୍ରୀ ଘଟ କିଶୋର ଠେଲା ପ୍ରକାଶ କରିଛନ୍ତି।
କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର "
Tags
Latest



