🟢 ବ୍ରେକିଂ ନ୍ୟୁଜ

ବରାଡ଼ଙ୍ଗା ପଞ୍ଚାୟତ ସ୍ତରୀୟ ଗଣ୍ଡ ସମାଜର ନୂତନ କର୍ମକର୍ତ୍ତା ଚୟନ


କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବରାଡ଼ଙ୍ଗା ପଞ୍ଚାୟତ ସ୍ତରୀୟ ଗଣ୍ଡ ସମାଜର ସାଙ୍ଗଠନିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜକୁ ଅଧିକ ସୁଦୃଢ଼ କରିବା, ସାଙ୍ଗଠନିକ ଏକତା ବଜାୟ ରଖିବା ସହ ପରମ୍ପରା ଓ ସଂସ୍କୃତିର ସୁରକ୍ଷା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।ବୈଠକ ପୂର୍ବରୁ ଗଣ୍ଡ ସମାଜର ଇଷ୍ଟଦେବତା ପ୍ରଭୁ ଚତୁର୍ଭୁଜ ବୁଢ଼ାଦେଓଙ୍କ ନିକଟରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ସମାଜର ସଦସ୍ୟମାନଙ୍କ ଉପସ୍ଥିତିରେ ସାଙ୍ଗଠନିକ ସଭା ଆରମ୍ଭ ହୋଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଗଣ୍ଡ ସମାଜର ସଭାପତି ନନ୍ଦକିଶୋର ଧରୁଆ ଯୋଗଦେଇଥିବା ବେଳେ ଉପଦେଷ୍ଟା କମିଟିର ସଦସ୍ୟ ବିଦେଶୀ ଧରୁଆ ଉପସ୍ଥିତ ଥିଲେ। ଉଭୟେ ସମାଜର ସାଙ୍ଗଠନିକ ଏକତା, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ସହ ଆଗାମୀ ଦିନରେ ସମାଜକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ।ପରେ ସର୍ବସମ୍ମତିକ୍ରମେ ବରାଡ଼ଙ୍ଗା ପଞ୍ଚାୟତ ସ୍ତରୀୟ ଗଣ୍ଡ ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଋତୁରାଜ ନାଏକଙ୍କୁ ସଭାପତି ଏବଂ ନବକିଶୋର ମାଝୀଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଥିଲା। ନୂତନ କର୍ମକର୍ତ୍ତାଙ୍କ ଚୟନ ପରେ ଉପସ୍ଥିତ ସଦସ୍ୟମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ବୈଠକରେ ଭୁବନେଶ୍ୱର ମାଝୀ, ଧନୁ ମାଝୀ, ନବଘନ ମାଝୀ, ଚଏତୁ ନାଏକ, କ୍ଷୀରସିନ୍ଧୁ ନାଏକଙ୍କ ସମେତ ସମାଜର ବହୁ ସଦସ୍ୟ ଯୋଗଦେଇଥିଲେ। ଏଥିସହ ଶତାଧିକ ମହିଳା ଓ ପୁରୁଷ ସଦସ୍ୟଙ୍କ ଉପସ୍ଥିତିରେ ବୈଠକ ଉତ୍ସାହଜନକ ପରିବେଶରେ ସମ୍ପନ୍ନ ହୋଇଥିଲା।ବୈଠକରେ ମହିଳା ଓ ଯୁବପିଢ଼ିଙ୍କୁ ସାଙ୍ଗଠନିକ କାର୍ଯ୍ୟକ୍ରମ ସହ ଅଧିକ ଯୋଡ଼ିବା, ସମାଜର ପରମ୍ପରା ଓ ସଂସ୍କୃତିକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ଏବଂ ବିଭିନ୍ନ ସାମାଜିକ ସମସ୍ୟାର ସମାଧାନ ଦିଗରେ ଏକତ୍ରିତ ଭାବେ କାର୍ଯ୍ୟ କରିବା ନେଇ ମତ ପ୍ରକାଶ ପାଇଥିଲା। ନୂତନ କର୍ମକର୍ତ୍ତାଙ୍କ ନେତୃତ୍ୱରେ ବରାଡ଼ଙ୍ଗା ପଞ୍ଚାୟତ ସ୍ତରୀୟ ଗଣ୍ଡ ସମାଜ ଆଗାମୀ ଦିନରେ ଆହୁରି ସୁଦୃଢ଼ ଓ ସଂଗଠିତ ହେବ ବୋଲି ସଦସ୍ୟମାନେ ଆଶା ପ୍ରକାଶ କରିଥିଲେ।


କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال