କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମା’ ମାଣିଙ୍କେଶ୍ୱରୀ ରାଜମିସ୍ତ୍ରୀ ସଂଘର ସାଧାରଣ ବୈଠକ ମହିମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗାଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି। ମହିମା ପଞ୍ଚାୟତ ରାଜମିସ୍ତ୍ରୀ ସଂଘର ସଭାପତି ହେମରାଜ ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମ, ଆୟବ୍ୟୟ ବିବରଣୀ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା।ବୈଠକରେ ମୁଖ୍ୟ ଅତିଥି ଭାବେ ମହିମା ଗ୍ରାମ ପଞ୍ଚାୟତର ସରପଞ୍ଚ ଇଶରାମ କୋଲଥିଆ ଯୋଗଦେଇଥିବା ବେଳେ ସମିତି ସଭ୍ୟ ଘନଶ୍ୟାମ ନାଏକ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ମା’ ମାଣିଙ୍କେଶ୍ୱରୀ ରାଜମିସ୍ତ୍ରୀ ସଂଘର ସଭାପତି ରାଜକିଶୋର ସିଂ ଓ ସମ୍ପାଦକ ଅଭିରାମ ଗୋପାଳ ଯୋଗଦେଇଥିଲେ। ସେହିପରି ପର୍ଶୁରାମ ନାଗ, ତୈଲଙ୍କ ରୋତି, ସୁବାଷ ନାଗ, ନୀଳରାମ ମାଝୀ, ପଦ୍ମନାଭ ରଣା, ଚିତ୍ତରଞ୍ଜନ ଗୋପାଳ, ସନ୍ତୋଷ ବାଗ, ରୋହିତ ଠାକୁର, ଡମ୍ବରୁଧର ନାଏକ, ସତ୍ୟରାମ ନାଗ ଓ ଶ୍ରୀକାନ୍ତ ନାୟକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।ଏହି ଅବସରରେ ବିଶେଷ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ପ୍ରଭାରୀ ଡାକ୍ତର ବିରଞ୍ଚି ନାରାୟଣ ପଣ୍ଡା ଓ ରାମକୋ ସିମେଣ୍ଟର ଜଣେ ଇଞ୍ଜିନିୟର ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କ ସଂଗଠନ, ସୁରକ୍ଷା ଓ ସରକାରୀ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।ସୂଚନା ଅନୁସାରେ, ପ୍ରଥମେ ଗ୍ରାମ ପୂଝାରୀ ହାତିରାମ ପୂଝାରୀଙ୍କ ଦ୍ୱାରା ଦେବଶିଳ୍ପୀ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା କରାଯିବା ପରେ ବୈଠକର ଶୁଭାରମ୍ଭ ହୋଇଥିଲା। କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରୁ ରାଜମିସ୍ତ୍ରୀ ଓ ନିର୍ମାଣ ଶ୍ରମିକମାନେ ଏଥିରେ ଯୋଗଦେଇଥିଲେ।ସଂଘର ନିଷ୍ପତ୍ତି ଅନୁଯାୟୀ ପ୍ରତିମାସର ୧ ତାରିଖରେ ପଞ୍ଚାୟତସ୍ତରରେ ମା’ ମାଣିଙ୍କେଶ୍ୱରୀ ରାଜମିସ୍ତ୍ରୀ ସଂଘର ମାସିକ ବୈଠକ ଅନୁଷ୍ଠିତ ହୋଇଥାଏ। ଏହି କ୍ରମରେ ଚଳିତ ବୈଠକରେ ବିଶ୍ୱକର୍ମା ପୂଜାର ଆୟବ୍ୟୟ ବିବରଣୀ ପାଠ କରାଯାଇଥିଲା। ଏଥିସହ ଆସନ୍ତା ୪ ତାରିଖରେ ରାଜମିସ୍ତ୍ରୀ ସଂଘର ପ୍ରତିଷ୍ଠା ଦିବସ ପାଳନ କରାଯିବା ନେଇ ଆଲୋଚନା ହୋଇଥିଲା।ବୈଠକରେ ସଂଘର କାର୍ଯ୍ୟକ୍ରମରେ ଶୃଙ୍ଖଳିତ ଭାବେ ଦାୟିତ୍ୱ ନିର୍ବାହ କରିଥିବା କେତେକ ଶ୍ରମିକଙ୍କୁ ସଂଘ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ ଓ ଉତ୍ସାହିତ କରାଯାଇଥିଲା।କୋକସରା ବ୍ଲକରେ ମା’ ମାଣିଙ୍କେଶ୍ୱରୀ ରାଜମିସ୍ତ୍ରୀ ସଂଘର ସଦସ୍ୟ ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ସଂଘ ନିର୍ମାଣ ଶ୍ରମିକମାନଙ୍କ ସ୍ୱାର୍ଥ ସୁରକ୍ଷାରେ ଅଧିକ ସକ୍ରିୟ ଭୂମିକା ନେବ ବୋଲି ସଂଘର ବ୍ଲକ ସଭାପତି ପ୍ରକାଶ କରିଥିଲେ। ଏଥିସହ ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଉପଲବ୍ଧ ବିଭିନ୍ନ ସୁବିଧା ଓ ଯୋଜନା ସମ୍ପର୍କରେ ସଦସ୍ୟମାନଙ୍କୁ ସଚେତନ କରାଯିବା ସହ ଆବଶ୍ୟକ ସ୍ଥଳେ ସଂଘ ପକ୍ଷରୁ ସହଯୋଗ କରାଯିବ ବୋଲି ସେ କହିଥିଲେ।
କୋକସରାରୁ ବ୍ୟୁରୋ ଚିଫ୍ ଦୁଷ୍ମନ୍ତ କୁମାର ଗହିରଙ୍କ ରିପୋର୍ଟ, “ଖବର ଆମର”
Tags
Latest



