ଧର୍ମଗଡ଼ (ଖବର ଆମର) (ହୁକିମ ବିଶି): ଶାରଦୀୟ ଦୁର୍ଗାପୂଜାକୁ ନେଇ ସବୁଆଡ଼େ ଉତ୍ସବମୁଖର ପରିବେଶ। ମା’ ଦୁର୍ଗତିନାଶିନୀଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ବିଭିନ୍ନ ପୂଜାମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରାଠାରେ ମା’ ଦୁର୍ଗାଙ୍କ ୫୮ତମ ନବରାତ୍ର ଦୁର୍ଗାପୂଜା ନିମନ୍ତେ ଶନିବାର ଅପରାହ୍ନ ୪ଟା ସମୟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅଧିବାସ ଓ କଳସ ଯାତ୍ରା ସହ ପୂଜାର ଶୁଭାରମ୍ଭ ହୋଇଛି।ଏହି ଅବସରରେ ବେହେରା ନଦୀରୁ ଜଳପୂର୍ଣ୍ଣ କଳସ ଧାରଣ କରି କୁମାରୀ ଝିଅମାନେ ଗ୍ରାମ ପରିକ୍ରମା କରିବା ପରେ ପୂଜାମଣ୍ଡପରେ କଳସ ସ୍ଥାପନ କରିଥିଲେ। କଳସ ଯାତ୍ରାରେ ଘଣ୍ଟଦଳ, ବାଜା ଓ ସଂକୀର୍ତ୍ତନ ଦଳ ସାମିଲ ହୋଇଥିବାବେଳେ ଭକ୍ତିମୟ ପରିବେଶରେ ସମଗ୍ର ଅଞ୍ଚଳ ମୁଖରିତ ହୋଇଉଠିଥିଲା।ପୂଜାର୍ଚ୍ଚନା ଦାୟିତ୍ୱ ବେଗୁନିଆପଡ଼ା ବୀରଜଗନ୍ନାଥପୁରର ପୂଜକ ମହେଶ୍ୱର ଶତପଥି ତୁଲାଇବେ। ସେହିପରି ପୂଜାକର୍ତ୍ତା ଭାବେ ରୋଶନଲାଲ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ସୁଷମା ଅଗ୍ରୱାଲ ଦାୟିତ୍ୱ ନିର୍ବାହ କରୁଛନ୍ତି।ପୂଜା କମିଟିର ସଭାପତି ଈଶ୍ୱର ଲାଲ ଅଗ୍ରୱାଲ, ଉପସଭାପତି ହେମାଳ ଚନ୍ଦ୍ର ନାଏକ, ସମ୍ପାଦକ ରଜନୀକାନ୍ତ ନାଏକ ଓ ସହସମ୍ପାଦକ ରାହାସ ନାଏକଙ୍କ ସମେତ ଉପଦେଷ୍ଟା କମିଟିର ସଦସ୍ୟ ତୁଳସୀ ରାମ ବାରିକ, ବଳରାମ ପୂଜାରୀ, ହେମନ୍ତ ସାହୁ, ପଦ୍ମଲୋଚନ ପାଣିଗ୍ରାହୀ, ଘନଶ୍ୟାମ ପଟେଲ, ମଣିଭଦ୍ର ନାଏକ, ଚୌବନ ନାଏକ, ଶଙ୍କର ନାଏକଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ କଳସ ଯାତ୍ରାରେ ଯୋଗଦେଇ ପୂଜାର ଆୟୋଜନରେ ସହଯୋଗ କରିଥିଲେ।କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନବରାତ୍ରର ନଅ ଦିନ ଧରି ମା’ଙ୍କ ପୂଜାର୍ଚ୍ଚନା, ସନ୍ଧ୍ୟାରେ ଆଳତି, ଭଜନ ଓ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହାକୁ ନେଇ ବେହେରା ଅଞ୍ଚଳରେ ଭକ୍ତି ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି।
Tags
Latest



