କୋକସରା,(ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): କଳାହାଣ୍ଡି ଜିଲ୍ଲା କୋକସରା ଶିକ୍ଷା ବିଭାଗ ଅଧୀନ ଡାଲଗୁମା କ୍ଲଷ୍ଟରର ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ସହଭାଗୀ ବୈଠକ ଗହନାମୁଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଶିକ୍ଷକଙ୍କ ଦାୟିତ୍ୱ ଓ ବିଦ୍ୟାଳୟସ୍ତରରେ ସମନ୍ୱୟମୂଳକ ସହଭାଗିତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।ବୈଠକରେ ରାଜକିଶୋର ଭୋଇ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଏବିଇଓ ଶ୍ରୀମନ୍ତ ଧରୁଆ ଯୋଗଦେଇଥିଲେ। ସେ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷକମାନଙ୍କ ନିଷ୍ଠା, ଦାୟିତ୍ୱବୋଧ ଓ ପରସ୍ପର ସହଯୋଗର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମ ଅବସରରେ ପୂର୍ବତନ ସିଆରସିସିଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସିଆରସିସି ହୃଷିକେଶ ନାଏକଙ୍କୁ ଉପସ୍ଥିତ ଶିକ୍ଷକ ଓ ପ୍ରଧାନ ଶିକ୍ଷକମାନଙ୍କ ପକ୍ଷରୁ ଉଷ୍ମ ସ୍ୱାଗତ ଜଣାଯାଇଥିଲା। ନୂତନ ଦାୟିତ୍ୱରେ ସେ ସଫଳତାର ସହ କାର୍ଯ୍ୟ କରିବେ ବୋଲି ଉପସ୍ଥିତ ସମସ୍ତେ ଆଶା ପ୍ରକାଶ କରିଥିଲେ।ବୈଠକରେ କ୍ଲଷ୍ଟର ଅଧୀନ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ସହଶିକ୍ଷକମାନେ ଯୋଗଦେଇ ବିଦ୍ୟାଳୟର ଶିକ୍ଷାଦାନ ପ୍ରକ୍ରିୟା, ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଅଗ୍ରଗତି ଓ ଶିକ୍ଷା ପରିବେଶକୁ ଅଧିକ ସୁଦୃଢ଼ କରିବା ସମ୍ପର୍କରେ ଆଲୋଚନା କରିଥିଲେ।ମଞ୍ଚ ପରିଚାଳନା ବିପିନ ବିହାରୀ ମାଝୀ ଓ ଉଦ୍ଧବ ଧରୁଆ କରିଥିଲେ। ଏହି ଅବସରରେ ଦୁଲଭ ପୂଝାରୀ, ଦେବେନ୍ଦ୍ର ଶବର, ଯଶୋଦା ନାଏକ, ଆନନ୍ଦ ଶବର, ଯାଜ୍ଞସେନୀ ନାଏକ, ଈଶ୍ୱର ନାଏକଙ୍କ ସମେତ କ୍ଲଷ୍ଟର ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ସହଶିକ୍ଷକ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମର ସଫଳ ଆୟୋଜନରେ ରାଜକିଶୋର ଧରୁଆ, ଗଗନ ପଟ୍ଟନାୟକ, ଅକ୍ଷୟ କୁମାର ପାତ୍ର, ସୁବାଷ ପୂଝାରୀ, ହୃଷିକେଶ ରାଉତ, ହୃଷିକେଶ ଘି, ଅଭିନାଶ ଜେନା, ସୌମ୍ୟରଞ୍ଜନ ପ୍ରଧାନ, ହରିପ୍ରିୟା ନାଏକ ଓ ଦେମାଲିନୀ ଚନ୍ଦନ ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ବିଦ୍ୟାଳୟଗୁଡ଼ିକରେ ଉନ୍ନତ ଶିକ୍ଷା ପରିବେଶ ସୃଷ୍ଟି, ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନବୃଦ୍ଧି ଏବଂ ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ବିକାଶ ପାଇଁ ସମସ୍ତେ ସମନ୍ୱୟର ସହ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ।
କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିରଙ୍କ ରିପୋର୍ଟ "ଖବର ଆମର'
Tags
Latest



