🟢 ବ୍ରେକିଂ ନ୍ୟୁଜ

ବେହେରାରେ ମା’ ଦନ୍ତେଶ୍ୱରୀଙ୍କ ଦଶରା ପର୍ବ ପାଳିତ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼


ଧର୍ମଗଡ଼, (ଖବର ଆମର)(ହୁକିମ ବିଶି):କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମରେ ଆରାଧ୍ୟ ଦେବୀ ମା’ ଦନ୍ତେଶ୍ୱରୀଙ୍କ ଦଶରା ପର୍ବ ପାରମ୍ପରିକ ରୀତିନୀତି ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଗ୍ରାମବାସୀଙ୍କ ସମେତ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ଦୁର୍ଗାପୂଜା ପରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗ୍ରାମରେ ଇଷ୍ଟଦେବୀ ଓ ଗ୍ରାମଦେବତାଙ୍କ ଦଶରା ପର୍ବ ପାରମ୍ପରିକ ରୀତିନୀତିରେ ପାଳନ କରାଯାଇଥାଏ। ଏହି ପର୍ବ ଗ୍ରାମବାସୀଙ୍କ ଆସ୍ଥା, ବିଶ୍ୱାସ ଓ ଧାର୍ମିକ ଭାବନା ସହ ଗଭୀର ଭାବେ ଜଡ଼ିତ। ପିଢ଼ି ପରେ ପିଢ଼ି ଧରି ଚାଲିଆସୁଥିବା ଏହି ପରମ୍ପରା ଗ୍ରାମୀଣ ସଂସ୍କୃତି ଓ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶ।ପରମ୍ପରା ଅନୁଯାୟୀ, ଦଶମୀ ତିଥିରେ ଗ୍ରାମଦେବୀଙ୍କ ପୀଠରେ ପୂଜାର୍ଚ୍ଚନା ସହ ଦଶରା ପର୍ବର ଆୟୋଜନ କରାଯାଇଥାଏ। ବେହେରା ଗ୍ରାମରେ ପ୍ରଥମେ ଗୌନ୍ତିଆଙ୍କ ଘରୁ ଲାଠି ବାହାରି ଗ୍ରାମ ପରିକ୍ରମା କରିଥିଲା। ଗ୍ରାମର ବିଭିନ୍ନ ସ୍ଥାନରେ ମହିଳାମାନେ ଝୋଟି ପକାଇବା ସହ ହୁଳହୁଳି ଦେଇ ମା’ଙ୍କୁ ବନ୍ଦାପନା କରି ସ୍ୱାଗତ ଜଣାଇଥିଲେ। ଏହାପରେ ଗ୍ରାମ ପରିକ୍ରମା ସମାପ୍ତ ହେବା ପରେ ମା’ଙ୍କୁ ମନ୍ଦିରକୁ ନିଆଯାଇଥିଲା।ମାନସିକ ପୂରଣ ଓ ମନୋକାମନା ସିଦ୍ଧି ପାଇଁ ଭକ୍ତମାନେ ନିଜ ନିଜର ପରମ୍ପରା ଓ ବିଶ୍ୱାସ ଅନୁଯାୟୀ ଦେବୀଙ୍କ ନିକଟରେ ଭୋଗ ଅର୍ପଣ କରିଥାନ୍ତି। କେତେକ ଭକ୍ତ ବଳିଭୋଗ ଅର୍ପଣ କରୁଥିବା ବେଳେ ଅନ୍ୟମାନେ ନଡ଼ିଆ ଓ ଶୁକ୍ଳଭୋଗ ଅର୍ପଣ କରିଥାନ୍ତି। ଏହି ପର୍ବକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଧାର୍ମିକ ବିଶ୍ୱାସ ଓ ପରମ୍ପରା ଦେଖିବାକୁ ମିଳିଥାଏ।ମା’ ଦନ୍ତେଶ୍ୱରୀଙ୍କ ଦଶରା ପର୍ବ ଅବସରରେ ବେହେରା ଗ୍ରାମରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏହି ପର୍ବ ଗ୍ରାମବାସୀଙ୍କ ମଧ୍ୟରେ ଧାର୍ମିକ ଭାବନା, ପାରମ୍ପରିକ ରୀତିନୀତି ଓ ସାମାଜିକ ଏକତାକୁ ଆହୁରି ସୁଦୃଢ଼ କରିଛି।

Previous Post Next Post
Magspot Blogger Template

نموذج الاتصال