🟢 ବ୍ରେକିଂ ନ୍ୟୁଜ

ଚିଲିଗୁଡ଼ାରେ ମା ସର୍ବମଙ୍ଗଳାଙ୍କ ଛତର ଯାତ୍ରା ସମ୍ପନ୍ନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ


କୋକସରା (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): ଆସ୍ଥା, ବିଶ୍ୱାସ ଓ ଭକ୍ତିର ମହାମିଳନ ମଧ୍ୟରେ ଚିଲିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ସର୍ବମଙ୍ଗଳାଙ୍କ ପବିତ୍ର ଛତର ଯାତ୍ରା ଭକ୍ତି ଓ ଉତ୍ସାହର ସହ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଯାଇଛି। ଏହି ଧାର୍ମିକ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଘଣ୍ଟ, ଶଙ୍ଖ, ତାଳ, ନିଶାନ, ତାଶା ଓ ମାଦଳର ଶବ୍ଦରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା।ଏହି ଅବସରରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା’ ସର୍ବମଙ୍ଗଳାଙ୍କ ଦର୍ଶନ କରିଥିଲେ। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ବିଦ୍ୟାଧର ଗହିର, ରଜନୀ ପଣ୍ଡାଙ୍କ ସମେତ ଗ୍ରାମର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ସମାଜସେବୀ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ।ମା’ଙ୍କ ଏହି ପବିତ୍ର ଛତର ଯାତ୍ରାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦୀର୍ଘଦିନରୁ ଉତ୍ସାହ ଓ ଆଗ୍ରହ ରହିଥାଏ। ପରମ୍ପରା ଓ ଧାର୍ମିକ ରୀତିନୀତି ଅନୁଯାୟୀ ମା’ଙ୍କ ଯାତ୍ରା ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ଗ୍ରାମରୁ ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ପୀଠରେ ପହଞ୍ଚିଥିଲେ। ବାଦ୍ୟଯନ୍ତ୍ରର ତାଳେ ତାଳେ ଛତର ଯାତ୍ରା ଆଗକୁ ବଢ଼ିବା ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ମା’ ସର୍ବମଙ୍ଗଳାଙ୍କ ନିକଟରେ ନିଜ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ଶ୍ରଦ୍ଧାଳୁମାନେ ପ୍ରାର୍ଥନା କରିଥିଲେ। ମା’ଙ୍କ ଆଶୀର୍ବାଦ ଲାଭ କରିବା ସହ ପରିବାରରେ ସୁଖଶାନ୍ତି ଓ ଅଞ୍ଚଳରେ ମଙ୍ଗଳମୟ ପରିବେଶ ବଜାୟ ରହୁ ବୋଲି ଭକ୍ତମାନେ କାମନା କରିଥିଲେ।ଏହି ଛତର ଯାତ୍ରାର ଏକ ବିଶେଷ ପରମ୍ପରା ହେଉଛି ମା’ଙ୍କ ନିକଟରେ କେବଳ ଶୁକ୍ଳ ଭୋଗ ଅର୍ପଣ କରାଯାଇଥାଏ । ଦୀର୍ଘଦିନରୁ ଚଳିଆସୁଥିବା ଏହି ପରମ୍ପରା ଆଜି ମଧ୍ୟ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳନ କରାଯାଉଛି। ଏହା ଚିଲିଗୁଡ଼ା ଅଞ୍ଚଳର ଧାର୍ମିକ ଆସ୍ଥା ଓ ପାରମ୍ପରିକ ସଂସ୍କୃତିର ଏକ ଅନନ୍ୟ ପରିଚୟ ବହନ କରୁଛି।ସମଗ୍ର ଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ଏବଂ କୋକସରା ବ୍ଲକ ଯୁବ ଯାଦବ ସମିତି ସଭାପତି ଯୋଗେନ୍ଦ୍ର ହଂସ ଙ୍କ ନେତୃତ୍ୱରେ ଛତର ଯାତ୍ରାରେ ପାନୀୟ ଜଳ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା l ଚିଲିଗୁଡା ପୂଜା କମିଟିର ସଭାପତି ପ୍ରଶାନ୍ତ ସିଂ, ସମ୍ପାଦକ ଅଭିମନ୍ୟୁ ଗୋପାଲ,ଦୈତାରୀ ବାରିକ, ରଜନୀ ପଣ୍ଡା, ସନାତନ ଗୋପାଲ, ଉତ୍ତମ କୁମାର ପଣ୍ଡା, ବିଷ୍ଣୁ ଜ୍ୟୋତି ପଣ୍ଡା, କୁଞ୍ଜବିହାରୀ ସିଂ,ପୂଜକ ମନ୍ଧର ପୁଝାରୀ, ସିରା କୈଳାଶ ଚନ୍ଦ୍ର ସିଂ, ଜିତେନ୍ଦ୍ର ନିଆଲ ଓ ଲୋକନାଥ ଗୋପାଲ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ lମା’ ସର୍ବମଙ୍ଗଳାଙ୍କ ଛତର ଯାତ୍ରା ଅଞ୍ଚଳର ଆସ୍ଥା, ଏକତା, ଭାଇଚାରା ଓ ପରମ୍ପରାକୁ ଆହୁରି ସୁଦୃଢ଼ କରିବାର ଏକ ମାଧ୍ୟମ ବୋଲି ମତ ପ୍ରକାଶ ପାଇଛି l 


କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"
Previous Post Next Post
Magspot Blogger Template

نموذج الاتصال