କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): ଦ୍ରୁତଗତି ଓ ଅସାବଧାନତା ଯୋଗୁଁ ରାଜରାସ୍ତାରେ ଦୁର୍ଘଟଣା ବଢ଼ିବା ସହ ଅକାଳରେ ଅନେକ ମୂଲ୍ୟବାନ ଜୀବନ ଝଡ଼ିପଡ଼ୁଛି। ଗାଡ଼ି ଚାଳନା ସମୟରେ ଟ୍ରାଫିକ୍ ନିୟମକୁ ଅଣଦେଖା କରିବା ଓ ଅସାବଧାନତା ଅନେକ ସମୟରେ ଦୁର୍ଘଟଣାର ମୁଖ୍ୟ କାରଣ ପାଲଟୁଛି। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥର ଚାହାରବାହାଲ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଚାହାରବାହାଲ ନିକଟ ଜାତୀୟ ରାଜପଥରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଗୋଟିଏ ବାଇକ୍ ଜୁନାଗଡ଼ ପଟରୁ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହ ଧକ୍କା ହୋଇଥିଲା। ଫଳରେ ଉଭୟ ବାଇକ୍ ଚାଳକ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଏଥିରେ ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା।ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଆଦିବାସୀ ଜିଲ୍ଲା ମୋର୍ଚ୍ଚାର ସଭାପତି ତ୍ରିନାଥ ଶବର ଓ ଆମପାଣି ଜୋନ୍ ଯୁବ ମୋର୍ଚ୍ଚାର ସଭାପତି ତ୍ରୈଲୋକ୍ୟ ବେଶ୍ରା ଦୁର୍ଘଟଣା ଦେଖି ତୁରନ୍ତ ଉଭୟ ଆହତଙ୍କୁ ଉଦ୍ଧାର କରି ଜୁନାଗଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।ମୃତକ ଜଣକ ଚାହାରବାହାଲ ଗ୍ରାମର ଭୀମ ସାହୁ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ମୋଟେର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି କେଟିଏମ୍ ବାଇକ୍ ଜବତ କରିଥିଲା। ଏନେଇ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।ଲଗାତାର ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ତେଣୁ ଗାଡ଼ି ଚାଳକମାନେ ଦ୍ରୁତଗତିକୁ ନିୟନ୍ତ୍ରଣ କରିବା ସହ ଟ୍ରାଫିକ୍ ନିୟମ ପାଳନ ଓ ସତର୍କତାର ସହ ଗାଡ଼ି ଚାଳନା କରିବା ଜରୁରୀ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି।
କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"
Tags
Latest



