କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ଅନ୍ତର୍ଗତ କୁସୁମଖୁଣ୍ଟି ଗ୍ରାମରେ ଆଧ୍ୟାତ୍ମିକ ଶ୍ରଦ୍ଧା, ଭକ୍ତି ଓ ପାରମ୍ପରିକ ରୀତିନୀତି ମଧ୍ୟରେ ବାର୍ଷିକ ଦଶରା ପର୍ବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଗ୍ରାମର ଆରାଧ୍ୟ ଦେବୀ ମା’ ପଞ୍ଚମୁଖୀ କାଳୀଙ୍କ ପୂଜାର୍ଚ୍ଚନା ପାଇଁ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।ପରମ୍ପରା ଅନୁଯାୟୀ, କୁସୁମଖୁଣ୍ଟି ଗ୍ରାମରେ ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷର ପ୍ରଥମ ମଙ୍ଗଳବାର ଦିନ ଦଶରା ପର୍ବ ପାଳନ କରାଯାଇଥାଏ। ଏହି ପରମ୍ପରା ଯୋଗୁଁ ଅଞ୍ଚଳର ଦଶରା ପର୍ବର ଶୁଭାରମ୍ଭ କୁସୁମଖୁଣ୍ଟିରୁ ହେଉଥିବା ବିଶ୍ୱାସ ରହିଛି। ଏହା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଗ୍ରାମବାସୀଙ୍କ ଆସ୍ଥା, ବିଶ୍ୱାସ ଓ ପରମ୍ପରାର ଏକ ଅନନ୍ୟ ପ୍ରତୀକ।ଉତ୍ସବ ଅବସରରେ ମା’ ପଞ୍ଚମୁଖୀ କାଳୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ରକ୍ତଭୋଗ ଅର୍ପଣ କରାଯାଇଥିବା ବେଳେ ମା’ ଆଦିଶକ୍ତିଙ୍କୁ ଶୁକ୍ଳଭୋଗ ଅର୍ପଣ କରାଯାଇଥିଲା। ଏଥିସହ ବୁଢ଼ାରଜା, ମା’ ଠାକୁରାଣୀ, ମା’ ମାଉଳି, ମାଟିମାତା ଓ ଧରଣୀ ଦେବୀଙ୍କୁ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପୂଜା କରାଯାଇଥିଲା। ଦେବାଦେବୀଙ୍କ ଆଶୀର୍ବାଦରେ ଗ୍ରାମରେ ସୁଖ, ଶାନ୍ତି ଓ ସମୃଦ୍ଧି ଅବ୍ୟାହତ ରହିବା ସହ ସମସ୍ତଙ୍କ ମଙ୍ଗଳ ହେବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଥିଲେ।ଗ୍ରାମର ଦେବାଦେବୀଙ୍କ ମୁଖ୍ୟ ସେବକ ପିତାମ୍ବର ପୂଜାରୀଙ୍କ ନେତୃତ୍ୱରେ ପୂଜାବିଧି ସମ୍ପନ୍ନ ହୋଇଥିବା ବେଳେ କାନ୍ଦ୍ରା ପୂଜାରୀ ଓ ଭଲଭଦ୍ର ପୂଜାରୀ ସହଯୋଗ କରିଥିଲେ। ଅନ୍ୟପକ୍ଷରେ, ଗ୍ରାମର ଝିଅମାନେ ପାରମ୍ପରିକ ଜନ୍ନି ଓଷା ପାଳନ କରିଥିଲେ। ରାତିରେ ଆୟୋଜିତ ନାଟକ କାର୍ଯ୍ୟକ୍ରମ ପର୍ବର ଆକର୍ଷଣ ବଢ଼ାଇଥିଲା।ଦଶରା ପର୍ବର ସୁପରିଚାଳନା ପାଇଁ ଗଠିତ କମିଟିର ସଭାପତି ଇଂ. ସୁଶୀଲ କୁମାର ଶବର, ସମ୍ପାଦକ ମିତ୍ରଭାନୁ ବେହେରା ଓ କୋଷାଧ୍ୟକ୍ଷ ସୁଦର୍ଶନ ବେହେରାଙ୍କ ସମେତ କମିଟିର ସଦସ୍ୟ ଓ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ l ସେହିପରି, କୋକସରା ବ୍ଲକର ବୋବରିଆ ଗ୍ରାମରେ ମଧ୍ୟ ମଙ୍ଗଳବାର ମା’ ଲଙ୍କେଶ୍ୱରୀଙ୍କ ବାର୍ଷିକ ଦଶରା ପର୍ବ ପାରମ୍ପରିକ ରୀତିନୀତି ଓ ଶ୍ରଦ୍ଧାଭକ୍ତିର ସହ ପାଳିତ ହୋଇଥିଲା। ମା’ଙ୍କ ପୂଜାର୍ଚ୍ଚନାରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଉତ୍ସାହର ସହ ସାମିଲ ହୋଇଥିଲେ।
କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"
Tags
Latest



