🟢 ବ୍ରେକିଂ ନ୍ୟୁଜ

ତୁନଗାଁ ଧାନମଣ୍ଡିରେ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ମହାସଂଘର ସାଧାରଣ ବୈଠକ


କୋକସରା (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): ଲୋକକଳା  ଓ ଆଧ୍ୟାତ୍ମିକ ପରମ୍ପରାର ଏକ ଅନନ୍ୟ ପରିଚୟ ହେଉଛି ସଂକୀର୍ତ୍ତନ। ଏହି ପାରମ୍ପରିକ କଳାକୁ କିପରି ସୁରକ୍ଷିତ ରଖାଯାଇ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଯାଇପାରିବ ଏବଂ ଏଥିସହ ସଂକୀର୍ତ୍ତନ କଳାକାରମାନଙ୍କୁ କିପରି ସରକାରୀ ସହାୟତା ମିଳିପାରିବ, ସେନେଇ ତୁନାଗାଁ ଧାନମଣ୍ଡିଠାରେ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ମହାସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି ।ସଂକୀର୍ତ୍ତନ କେବଳ ଭଜନ ଓ ନାମସଂକୀର୍ତ୍ତନରେ ସୀମିତ ନୁହେଁ, ଏହା ଆମ ଧାର୍ମିକ ବିଶ୍ୱାସ, ସାମାଜିକ ଏକତା ଓ ପାରମ୍ପରିକ ଲୋକସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କିନ୍ତୁ ବର୍ତ୍ତମାନ ସମୟରେ ଏହି କଳାକୁ ବଞ୍ଚାଇ ରଖିବା ସହ କଳାକାରମାନଙ୍କ ଜୀବିକା ଓ ସମ୍ମାନକୁ ବଜାୟ ରଖିବା ପାଇଁ ଆଲୋଚନା ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସଂକୀର୍ତ୍ତନ ଗୁରୁ ତଥା  ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ମହାସଂଘର ଜିଲ୍ଲା ସଭାପତି  ଶ୍ରୀ ଟେଂଗନୁ ବାରିକ  ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସୁଶୀଲ ପଣ୍ଡା ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ସଂଘର ଜିଲ୍ଲା ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ସରାପ,ବ୍ଲକ ସଭାପତି ସଂକୀର୍ତ୍ତନ ଗୁରୁ ଘଟକିଶୋର ଠେଲା,ରାଜନେତା ପଞ୍ଚକ ପୋଡ଼,କନ୍ଦାବୁଟୁରା ସରପଞ୍ଚ, କ୍ଷୀରୋଦ ବେହେରା, ଦିଲ୍ଲୀପ କୁମାର ଶବର ଓ ଦୀପକ କୁମାର ଚନ୍ଦନ ପ୍ରମୁଖ ମଞ୍ଚାସିନ ହୋଇଥିଲେ lଏହି ବୈଠକରେ ସଂକୀର୍ତ୍ତନ କଳାର ପ୍ରଚାରପ୍ରସାର, ନୂତନ ପିଢ଼ିକୁ ଏହି ପରମ୍ପରା ସହ ଯୋଡ଼ିବା, କଳାକାରମାନଙ୍କୁ ଉଚିତ ପ୍ରୋତ୍ସାହନ ଓ ସରକାରୀ ସହାୟତା ପ୍ରଦାନ ଭଳି ବିଷୟ ଉପରେ ବକ୍ତା ମାନେ ମତ ପ୍ରକାଶ କରିଥିଲେ lସଂକୀର୍ତ୍ତନ କଳାକାରଙ୍କୁ ଆର୍ଥିକ ସହାୟତା, କଳାକାର ଭତ୍ତା, ପରିଚୟପତ୍ର ଏବଂ ବିଭିନ୍ନ ସାଂସ୍କୃତିକ ମଞ୍ଚରେ ସୁଯୋଗ ମିଳିଲେ ଏହି ପାରମ୍ପରିକ କଳା ଆହୁରି ସମୃଦ୍ଧ ହୋଇପାରିବ। ଏଥିପାଇଁ ସରକାର ଓ ସଂପୃକ୍ତ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ କଳାକାର ମହଲରେ ଆଶା ପ୍ରକାଶ ପାଉଛି। ବର୍ତ୍ତମାନ ସଂଘରେ ୧୫ ଗୋଟି ସଂକୀର୍ତ୍ତନ ଦଳ ସାମିଲ ହୋଇଥିବା ବେଳେ ସେଇ ସଂକୀର୍ତ୍ତନ ଦଳକୁ ଏବଂ କଳାକାର ମାନଙ୍କୁ ସଂଘ ପକ୍ଷରୁ ପ୍ରମାଣ ପତ୍ର ଓ ପରିଚୟ ପତ୍ର ପ୍ରଦାନ କରାଯାଇଛି l ଏହି ସଂଘରେ କଳାହାଣ୍ଡି ଜିଲ୍ଲାର ସଂକୀର୍ତ୍ତନ ଦଳ ଓ କଳାକାର ମାନଙ୍କୁ ସାମିଲ କରାଯିବା ପାଇଁ ପ୍ରୟାସ ଜାରି ରହିଛି lଏହି ବୈଠକ ସଂକୀର୍ତ୍ତନ କଳାର ସୁରକ୍ଷା ଓ କଳାକାରଙ୍କ ହକ୍‌ ପାଇଁ ଏକ ଦିଗଦର୍ଶନ ଦେବ ବୋଲି ଆଶା କରାଯାଉଛି।

 କୋକସରାରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال