🟢 ବ୍ରେକିଂ ନ୍ୟୁଜ

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମା’ ମାଣିଙ୍କେଶ୍ୱରୀଙ୍କ ଛତର ଯାତ୍ରା ସମ୍ପନ୍ନ


ଭବାନୀପାଟଣା (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିଙ୍କେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ଛତର ଯାତ୍ରା ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଘଣ୍ଟ, ଶଙ୍ଖ ଓ ପାରମ୍ପରିକ ବାଦ୍ୟର ଧ୍ୱନିରେ ଯାତ୍ରାସ୍ଥଳୀ ଉତ୍ସବମୁଖର ହୋଇଉଠିଥିଲା।ପାରମ୍ପରିକ ରୀତିନୀତି ଅନୁଯାୟୀ, ନିଶାର୍ଦ୍ଧ ରାତିରେ ମା’ ମାଣିଙ୍କେଶ୍ୱରୀ ଜେନାଖାଲକୁ ଯାଇଥିବା ବେଳେ ପାହାନ୍ତିଆ ପ୍ରାୟ ୫ଟା ସମୟରେ ସେଠାରୁ ଛତର ବାହାରିଥିଲା। ମା’ଙ୍କ ଛତର ଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଦେଇଥିଲା। ବିଭିନ୍ନ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ଭକ୍ତମାନେ ନାଚଗୀତ କରି ମା’ଙ୍କୁ ସ୍ୱାଗତ କରିଥିଲେ।ଛତର ଯାତ୍ରା କଳାହାଣ୍ଡିର ଧାର୍ମିକ ଆସ୍ଥା ଓ ସାଂସ୍କୃତିକ ପରମ୍ପରାର ଏକ ପ୍ରମୁଖ ପରିଚୟ। ମା’ଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଗଭୀର ବିଶ୍ୱାସ ରହିଥିବାରୁ ମନସ୍କାମନା ପୂରଣ ପାଇଁ ଓ ପୂରଣ ହେବା ପରେ ଅନେକ ମାନସିକଧାରୀ ମା’ଙ୍କ ନିକଟରେ ପାରମ୍ପରିକ ଭୋଗ ଓ ବଳି ଅର୍ପଣ କରିଥାନ୍ତି। ଚଳିତ ଯାତ୍ରାରେ ମଧ୍ୟ ବଳି ଅର୍ପଣର ପରମ୍ପରା ପାଳନ କରାଯାଇଥିଲା।କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ନବରଙ୍ଗପୁର, କୋରାପୁଟ, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଆଦି ଜିଲ୍ଲାରୁ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସିଥିଲେ। ଅନ୍ୟ ରାଜ୍ୟରୁ ମଧ୍ୟ ଭକ୍ତଙ୍କ ଆଗମନ ହୋଇଥିଲା। ଭକ୍ତମାନେ ନିଜ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।ମା’ ମାଣିଙ୍କେଶ୍ୱରୀଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଅତୁଟ ଆସ୍ଥା ଓ ଛତର ଯାତ୍ରାରେ ହୋଇଥିବା ବିଶାଳ ଜନସମାଗମ ଏହି ଐତିହାସିକ ଧାର୍ମିକ ପରମ୍ପରାର ଗୁରୁତ୍ୱକୁ ପୁଣିଥରେ ପ୍ରତିପାଦିତ କରିଛି।

ଭବାନୀପାଟଣା ରୁ ବ୍ୟୁରୋ ଚିଫ ଦୁଷ୍ମନ୍ତ କୁମାର ଗହିର ଙ୍କ ରିପୋର୍ଟ "ଖବର ଆମର"

Previous Post Next Post
Magspot Blogger Template

نموذج الاتصال