କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର):ଦଶରା ପାର୍ବଣ କୁ ଆଖି ଆଗରେ ରଖି କଳାହାଣ୍ଡି ଜିଲ୍ଲାରେ ବେଆଇନ ଦେଶୀ ମଦ ପ୍ରସ୍ତୁତି କାରବାର ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଆମପାଣି ଥାନା ଅଞ୍ଚଳରେ ଚଢ଼ାଉ କରି ମହୁଲ ପୋଚ ଓ ହାତରନ୍ଧା ଦେଶୀ ମଦ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ସୂଚନା ଅନୁଯାୟୀ, ଧର୍ମଗଡ଼ ଉପଖଣ୍ଡ ଅବକାରୀ ଅଧିକାରୀଙ୍କ ନିର୍ଦ୍ଦେଶରେ ଜୁନାଗଡ଼ ଅବକାରୀ ଓ଼ଆଇସି ଓ କୋକସରା ଅବକାରୀ ଥାନା ଓ଼ଆଇସି ଗୁପ୍ତେଶ୍ୱର ପୁଟେଲ ଙ୍କ ନେତୃତ୍ୱରେ ଆମପାଣି ଥାନା ଅନ୍ତର୍ଗତ ଖୁରସେଲଗୁଡା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ବେଆଇନ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ, ମହୁଲ ପୋଚ ସମେତ ପ୍ରାୟ ୪୦ ଲିଟର ହାତରନ୍ଧା ଦେଶୀ ମଦ ଜବତ କରାଯାଇଥିଲା। ଏଥିସହ ମଦ ପ୍ରସ୍ତୁତି ସାମଗ୍ରୀ ନଷ୍ଟ କରାଯାଇଥିବା ଜଣାପଡ଼ିଛି।ଏହି ଘଟଣାରେ ଆମପାଣି ଥାନା ଅନ୍ତର୍ଗତ ଖୁର୍ସେଲଗୁଡ଼ା ଗ୍ରାମର କିଶୋର ବେହେରା (୨୨)ଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା କୋକସରା ଅବକାରୀ ଥାନା ଅଧିକାରୀ ଗୁପ୍ତେଶ୍ୱର ପୁଟେଲ ସୂଚନା ଦେଇଛନ୍ତି।ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି ରୋକିବା ପାଇଁ ଅବକାରୀ ବିଭାଗର ଏଭଳି ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।
Tags
Latest



