କୋକସରା, (ଖବର ଆମର)(ଦୁଷ୍ମନ୍ତ କୁମାର ଗହିର): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳରେ ଚଳିତ ଖରିଫ ଧାନ ଚାଷ ଉପରେ ଏବେ ରୋଗପୋକର ଦାଉ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଦୁଇ ଦୁଇ ଥର ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ପୂର୍ବରୁ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଚାଷଜମି ବାଲିଚରରେ ପରିଣତ ହୋଇଛି। ଏହାରି ମଧ୍ୟରେ ଧାନ କ୍ଷେତରେ ଏବେ ବିଭିନ୍ନ ପ୍ରକାର ରୋଗପୋକ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।ଧାନ ବୁଣା ଓ ରୁଆ ହେବାର କିଛି ଦିନ ପରେ ବିଭିନ୍ନ ଅଞ୍ଚଳରେ କାଣ୍ଡବିନ୍ଧା ପୋକର ପ୍ରାଦୁର୍ଭାବ ଦେଖାଦେଇଥିଲା। କାଣ୍ଡବିନ୍ଧା ପୋକକୁ ନିୟନ୍ତ୍ରଣ କରିବା ପାଇଁ ଚାଷୀ ବଜାରରୁ ବିଭିନ୍ନ କୀଟନାଶକ କିଣି ଧାନ କ୍ଷେତରେ ପ୍ରୟୋଗ କରିଥିଲେ ମଧ୍ୟ ଆଶାନୁରୂପ ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ଫଳରେ ଧାନ ଗଛ ହଳଦିଆ ଓ ଲାଲ ରଙ୍ଗ ଧାରଣ କରିବା ସହ କେତେକ ସ୍ଥାନରେ ଧାନ କେଣ୍ଡା ଶୁଖିଯାଉଥିବା ଚାଷୀମାନେ କହିଛନ୍ତି।କାଣ୍ଡବିନ୍ଧା ପୋକର ସମସ୍ୟା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ହୋଇନଥିବା ବେଳେ ଏବେ ଧାନ କ୍ଷେତରେ ବିପିଏଚ୍ (BPH) ସମସ୍ୟା ଦେଖାଦେବା ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି। ଏହା ସହ ଗଣ୍ଠିପୋକ, ମୂଳସଢ଼ା ଭଳି ରୋଗପୋକର ପ୍ରାଦୁର୍ଭାବ ମଧ୍ୟ ଅନେକ ଅଞ୍ଚଳରେ ଦେଖାଯାଉଥିବା ଅଭିଯୋଗ ହୋଇଛି।ବାରମ୍ବାର କୀଟନାଶକ ସିଞ୍ଚନ କରିବା ସତ୍ତ୍ୱେ ରୋଗପୋକ ନିୟନ୍ତ୍ରଣ ନହେବାରୁ ଚାଷୀଙ୍କ ଚିନ୍ତା ବଢ଼ିବା ସହ କୀଟନାଶକ କିଣିବାରେ ଅତିରିକ୍ତ ଅର୍ଥ ଖର୍ଚ୍ଚ ହେଉଛି। ଏଥିସହ ଫସଲ କ୍ଷତି ଓ ଚାଷ ପାଇଁ ନିଆଯାଇଥିବା ଋଣର ବୋଝ ଚାଷୀଙ୍କ ଉପରେ ଆହୁରି ବଢ଼ିବାର ଆଶଙ୍କା ରହିଛି। କୀଟନାଶକର ଗୁଣବତ୍ତା, ଠିକ୍ ଔଷଧ ଚୟନ ନା ଔଷଧ ସିଞ୍ଚନ ପ୍ରକ୍ରିୟାରେ କୌଣସି ତ୍ରୁଟି ରହୁଛି—ତାହା ନେଇ ଚାଷୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।ଅନ୍ୟପଟେ ବର୍ତ୍ତମାନ ପ୍ରବଳ ଖରା ଓ ଟାଣ ଖରା ଯୋଗୁଁ ଅନେକ ଧାନ କ୍ଷେତରୁ ପାଣି ଶୁଖିଯାଇ ମାଟି ଫାଟି ଆଁ କରିଥିବା ଦେଖିବାକୁ ମିଳୁଛି। ଧାନ ଗଛରୁ କେଣ୍ଡା ବାହାରିବାର ଗୁରୁତ୍ୱପୂର୍ଣ୍ଣ ସମୟରେ ପର୍ଯ୍ୟାପ୍ତ ଜଳାଭାବ ଦେଖାଦେଲେ ଉତ୍ପାଦନ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।କୋକସରା ବ୍ଲକର ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଅଞ୍ଚଳରେ କାଣ୍ଡବିନ୍ଧା, ଗଣ୍ଠିପୋକ, ମୂଳସଢ଼ା ଓ ବିପିଏଚ୍ ଭଳି ରୋଗପୋକର ପ୍ରାଦୁର୍ଭାବ ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି କୋକସରା ଅଞ୍ଚଳର ଅନ୍ୟାନ୍ୟ ଚାଷଜମିରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଥିବା କୁହାଯାଉଛି।ଏଭଲି ପରିସ୍ଥିତିରେ କୃଷି ବିଭାଗ ପକ୍ଷରୁ ତୁରନ୍ତ କ୍ଷେତ୍ର ପରିଦର୍ଶନ କରାଯାଇ ରୋଗପୋକର ପ୍ରକୃତ କାରଣ ଚିହ୍ନଟ, ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଓ ଆବଶ୍ୟକ କୀଟନାଶକ ସମ୍ପର୍କରେ ସଚେତନ କରିବା ସହ ଫସଲ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
Tags
Latest



